Sunday, 16 April 2017

ତୋର ଚଲା ରାସ୍ତାରେ

ତୋର ଚଲା ରାସ୍ତାରେ
         ଆଶୁତୋଷ ମେହେର
ପାରୁଛୁ ଯଦି
ତୋର ଚଲା ରାସ୍ତାରେ
ଶୁଖି ଯାଉଥିବା ଗଛରେ
ପାଣି ମୁନ୍ଦେ ଢାଳି ଦେ !
ଅମୃତ ହୋଇ ସେ
ସଞ୍ଚି ରହିଯିବ,ତୋ
ଉତ୍ତରାଧିକାରୀଙ୍କ ପାଇଁ ।

ପାରୁଛୁ ଯଦି
ନଈ ଧାରରେ
ଭାସିଯାଉଥିବା ମଇଳାକୁ
ହାତରେ ଛାଣି ନେ !
ପୀୟୁଷ ଧାର ହୋଇ
ବହି ଚାଲିଥିବ
ତୋର ବଂଶଧରଙ୍କ
ତୃଷା ମେଣ୍ଟାଇବା ପାଇଁ ।।

ପାରୁଛୁ ଯଦି
ତୋ ନିକଟରେ
ଠିଆ ହୋଇଥିବା
ଅସହାୟ ମଣିଷଟିକୁ
ଟିକିଏ ମିଠା କଅଁଳ କଥା କହି ଦେ !
ଶୁଖି ଯାଉଥିବା
ମାନବିକତାର ଗଛରେ
ଫଗୁଣ ଆସିବ
ପ୍ରେମର ସବୁଜ
ଦୁଇପତ୍ର ମେଲାଇ ।।
          * ସମାପ୍ତ *

No comments:

Post a Comment