Saturday, 26 August 2017

ଭାବନାଗୁଟେ

ଭାବନାଗୁଟେ
@@ଆଶୁତୋଷ ମେହେର

ପାଏନ୍ ବୁନ୍ଦେ ବୁନ୍ଦେ ପଡି
ମାଏଟ୍ ଯେନତା ବୁତରି ଯାଏସି,
ଶୁଖା ଘାସଲତା ବି କଅଁଳି ଯାଏସନ;
ଝଡି ପଡିଲା ଦରମରା ବିଜା ବି
ମଏଟ୍ ଫଟେଇ
ଦୁଇପତର  ମେଲିଦେସି ।।

ହେନତା ତୋର ମନର ମାଏଟ୍ କେ
ଥୁପେ ଥୁପେ ଭଲ କଥାଥି
ଭିଜେଇ ଦେ,ଦେଖବୁ
ପେରେମଭାବ ତୋର ମନେ ଭରିଯିବା,
ରାଗବଇରାଗ ସରି ଯିବା
ଆଉର୍ ମନଭତରୁ
ପଝରିଯିବା ସେନେହର ଝରଟେ
ସଭିକେଁ ଭିଜେଇ ଭିଜେଇ
ହସି ଆଉର କନ୍ଦେଇ କରି ବି ।।
***ଇନେ ସରଲା*****

ଜନ୍ମାଷ୍ଟମୀ

ମୋର_ସମଲପୁରୀ_କବିତା
।। ଜନ୍ମାଷ୍ଟମୀ ।।
@ଆଶୁତୋଷ ମେହେର

ଇ ଦିନ ଯିଏ
ଜନମ୍ ନେଇଥିଲା
ସେ ପରେ
ବଢେ ଗୁଟେ ଲବାର କେ
ଦମନ  କରିଥିଲା ।

ଆଜି ତୋର ମନେ
ହେନତା ବଢେ ବଢେ
ସୁନ୍ଦର ଭାବନା ସବୁ
ଭରି ଯାଉ,
ଆଉର ତୋର ଜୀବନୁଁ
ସବୁ କଳଂକ କାଲିମାକେ
ଧୁଇ ଦେଇ ସାଫ କରିଦେଉ।
**ଇଠାନେ ସରଲା**

ନୂଆଁଖାଇ ର ଗୀତ

।। ନୂଆଁଖାଇ ର ଗୀତ ।।
ଆଶୁତୋଷ ମେହେର
।।ଏକ।।
ମାଁ ଗୋ ମାଁ
ତୋର ପାଦପଦମେଁ ଲାଗି କରୁଛୁଁ ନୂଆଁ,
ପନତ ତଲେ ଢାଁକି ରଖବୁ
ସୁଖେ ଦୁଖେ ଆଶୀଷଦେଇ,
ସାହା ହେଇ,ବରଷୁ ଥିବୁ ଗୋ ଆହା ।।
।। ଦୁଇ ।।

ନୂଆଁଖାଇଥି ହେଉଛେ ବନା
ତୁନ୍ ତରକାରୀ ପିଠାପନା,
ଆମ୍ବିଲ ଲେଥା କରଡିଭଜା
ଗହଗହ ଘର ହେଇଛେ ସଜା,
ଇଟା ସୁଖ ବାଣ୍ଟାବାର ବେଲା
ମାଁ ର ଗୁଡିଁଥି ଲାଗିଛେ ମେଲା ।।
।। ତିନ ।।
ନୂଆଁଖାଇ ପରେ ଆମର
ହସର ଖୁସିର ପରବ,
ଇଠାନୁ କହ ଅଛେ କେନଟା
ଅମୁଲମୁଲ୍ ଦରବ ?
ହସଖୁସି ବାଣ୍ଟ ଭୁଗାଭୁଗା
ପାଏବ କେତେ ମଜା,
ହସର ମାଡେ ମାଏଟ ହସବା
ଦୁଃଖ ନୁଁ ସୁଖ ମାରବା ଗଜା ।।
* * ଇଠାନେ ସରଲା * *

Thursday, 1 June 2017

**ହସର ଖୁସିର ଧାରେ**

ସମଲପୁରୀ କବିତା**ହସର ଖୁସିର ଧାରେ**
           ଆଶୁତୋଷ ମେହେର
ଉସତ ମନେ କହେଲେ ପଦେ
ଲାଗସି ବଢିଆ କେତେ
ଉଠେଁ ଲାଗଲେ ହସର ଧାରେ
ଦିଶିସି ସୁନ୍ଦର ସତେ ।
ହସଲା ମୁହୁଁ ଦାଉ ଦାଭ ଯେ
ବାଟୁଁଥିସି କେତେ ହସ
ସଭେଁ ତାର ଯେ ସାଂଗ ସରସା
ହେଇ ଯାଏସନ ବସ ।
ଧାରଟେ ହସ ବାଣ୍ଟିବାଣ୍ଟି ଯେ
ବନମାଁ ସାଗର ପରେ,
ବିନା ପଏସା ବାଣ୍ଟମାଁ ଚାଲ
ହସର ଖୁସିର ଧାରେ ।।
**ସମାପ୍ତ**

**ମିଠା କଥା ପଦେ**

ସମଲପୁରି କବିତା**ମିଠା କଥା ପଦେ**
*****ଆଶୁତୋଷ ମେହେର
ରସଗୁଲା ରସେ ଜିଭ ସିନା ମିଠା
ମିଠା ଲାଗସି ଫଳ
କଥାପଦକର ମିଠାପନ ଆଗେ
ସଭେଁ ହେସନ ତଳ ।
ଜିଭର ମିଠା ଟା ଢୁକି ଦେଲା ଖଁଡି
ଯାଏସି ସରି ପରେ
ମଧୁର କଥାର ମିଠାପନଟା ସେ
କେଭେଁ ଯେ ନାଇଁ ସରେ ।
ମିଠା ମିଠା କଥା କହେଁମା ଯେ ସଭେଁ
ଦୁନିଆଁ ହେବା ମଧୁର
ଦୁନିଆଁ ଜିତମାଁ ମିଠା କଥା ପଦେ
କହି ପାରଲେ ଜରୁର ।
**ସମାପ୍ତ**

Friday, 26 May 2017

।।ଶୁଖିଲା ପତର କହେ ।।

       ।।ଶୁଖିଲା ପତର କହେ ।।
                 ଆଶୁତୋଷ  ମେହେର
ସମୟ ସରିଲା ପଡିଲି ମୁଁ ଝଡି
ଶୁଖିଲା ପତର ଟି'ଏ
ଏମତି କେତେ ଆସି ଫେରିଲେଣି
ସମୟର ଧାର ସୁଏ ।
ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଂଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।
ଯଉବନ ଥିଲା ଥିଲା ମାଦକତା
ଚହଟ ଚିକ୍କଣ ଦେହ
ଭରି ରହିଥିଲା ହସର ଲହଡି
ନ ଥିଲା ଯେ ଟିକେ କୋହ ।
ସେବା କରିଥିଲି ଅଜଣା ପଥିକେ
ଦେଇ ଛାୟା ସୁଶୀତଳ,
ମୋ ପାଖ ଶାଖାରେ ଫଳୁଥିଲା କେତେ
ସୁମଧୁର ମିଠା ଫଳ ।
ଦେଇବାର ମଜା ସିଏ ସିନା ଜାଣେ
ଠିଆ ହୋଇ ଦାତା ପଣେ
ନେବା ଠାରୁ ଦେବା କେତେ ଯେ ମହାନ
ଦେବା ଲୋକ ସିନା ଜାଣେ ।
ଜୀଇଁବା ମରିବା ସଭିଁଙ୍କର ଲାଗି
ଶୁଖିଲା ପତର କହେ
ଛୋଟ ହୋଇ ପାରେ ଜୀବନ ସରିତା
ଅସାର ନୁହେଁ ତା କେଭେ ।।
               *ସମାପ୍ତ*

ଫୁଲ ପାଇଁ କବିତା

     ।। ଫୁଲ ପାଇଁ କବିତା ।।
             ଆଶୁତୋଷ  ମେହେର

ଫୁଲହସ ପରି ଆଜି ଦିନ ଯାଉ
ସରସ ସୁନ୍ଦର ହୋଇ,
ହସ ଖୁସି ଭରା ଧରାରେ ଜୀବନ
ଦୁଃଖ ସବୁ ଯାଉ ଧୋଇ ।।
*******
ଫୁଲର ରଂଗେଯେ ଏତେ ମାଦକତା
କିଏ ସେ ଦେଇଛି ଭରି,
କାହର ଗଢଣି କା' ହାତ କରଣି
ସୂକ୍ଷ୍ମ ସେଇ କାରିଗିରୀ ;
ପ୍ରକୃତି, ସେ ଯେ ଭଗବାନ
ମଥା ଥାପନ୍ତିକି ସତେ ପାଦ ତଳେ ତା'ରି ।।
*********
ଫୁଲର ଓଠରେ ଅଫୁରନ୍ତ ହସ
ରଙ୍ଗ ହେଉ ପଛେ ଯାହା,
ହସର ଜୀବନ ଯାହାର ସତରେ
ଆଉ କିସ ଲୋଡା ଆହା ,
ହସ ଆଣେ ସୁଖ ପୁରାଏ ପରାଣ
ଜୀବନର ଲକ୍ଷ ତାହା ।।
*********
ଫୁଲର ରଙ୍ଗରେ ଫୁଟି ଉଠେ ସତେ
ପରମେଶ୍ବରଙ୍କ ଛବି
ସୁଗନ୍ଧେ ତାହାରି ଇଶ୍ବର ଭାବନା
ବିମୋହିତ ହୁଏ କବି ।
ପ୍ରଭୂ ପାଦ ତଳେ ହସି ଗଡୁଥାଏ
କହେ ସେ ମରମ କଥା
ଜୀବନଟା ବିତୁ ବିଭୂ ଗୁଣ ଗାଇ
ତାଙ୍କ ସରଜନା ଗାଥା ।
***+***

Sunday, 14 May 2017

।। ମାଆଁ ।।

       ।। ମାଆଁ ।।
                 ଆଶୁତୋଷ ମେହେର

ପାଖେ ଥାଉ ସିଏ ଅବା ଦୂରେ ଥାଉ
ତା' ପଣତ ଛାଇର ତଳ,
ଜନମ ଦିନରୁ ମରଣ ଘାଟକୁ
କରିଥାଏ ସୁଶୀତଳ !!
ପଦିଏ କଥା ତା' କୋଶ କୋଶ ଯାଏଁ
ଜୀବନେ ସାହାରା ଥାଟ,
ତା ଆଖି ଆଲୁଅ ଅମା ଅନ୍ଧକାରେ
କଢାଇ ନିଏ ଯେ ବାଟ ।।
ଆଶୀଷ ଧାର ତା' ସାଗର କୋଳରେ
ଜୀବନ ନଉକା ଭାସେ,
ଯାହା ଦିଏ ସିଏ ପରାଣ ତାହାରି
ନ ଥାଏ କିଛି ତା ଆଶେ ।।
ହୃଦୟ ତା ବଡ ସାତ ଦରିଆ ଠୁଁ
ମନ ଟା ଆକାଶ ଛୁଆଁ,
ସାତ ଜନମରେ ଶୁଝି ହୁଏ ନାହିଁ
ଉଧାର ତା' - ମୋର ମାଆଁ ।।
          *ସମାପ୍ତ*

Friday, 28 April 2017

ଅକ୍ଷୟ ତୃତୀୟା

      ।। ଅକ୍ଷୟ ତୃତୀୟା ।।
        ଆଶୁତୋଷ  ମେହେର
ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ମହତ୍ତ୍ବ ବହୁତ ବେଶୀ । ବୈଶାଖ ମାସ ଶୁକ୍ଲ ପକ୍ଷରେ ପଡୁଥିବା ଏହି ଦିନ ଅତି ପବିତ୍ରତିଥୀ ଭାବେ ପରିଗଣିତ ହୁଏ । ଅପୁଛାଲଗ୍ନ ଭାବେ ଧରାଯାଉ ଥିବା ଏ ଦିନରେ ନିଜର ପବିତ୍ର କାର୍ଯ୍ୟ ଯଥା ବିବାହବ୍ରତ, ଗୃହପ୍ରତିଷ୍ଠା ପାଞି ନ ଦେଖି ମଧ୍ୟ କରାଯାଇଥାଏ । ଓଡିଶାରେ ଏହି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ରଥଯାତ୍ରାପାଇଁ ରଥତିଆରି ଅନୂକୁଳ କରାଯାଏ ।ଏ ଦିନ ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ । ଓଡିଆ ଚାଷୀଭାଇର ଚାଷକାମର ର ଅୟଆରମ୍ଭ ଅକ୍ଷିମୁଠି ବୁଣା ସହିତ ଶୁଭ ଦିଆ ହୋଇଥାଏ ।

ଏ ଦିନକୁ ମହାପ୍ରଭୂ ବିଷ୍ନୁଙ୍କ ଷଷ୍ଠ ଅବତାର ପ୍ରଭୂ ପର୍ଶୁରାମଙ୍କ ଜନ୍ମତିଥି ଭାବରେ ମଧ୍ୟ ପାଳନ କରାଯାଏ ।
ଏ ଦିନରେ ସୁନା ବା ରୂପାରେ ତିଆରି ମାତା ଲକ୍ଷ୍ମୀଙ୍କ ପାଦପୂଜା କଲେ ଘରେ ଧନଧାନ୍ୟର ଆଗମନ ହୁଏ ବୋଲି ଲୋକଙ୍କ ବିଶ୍ବାସ ଅଛି ।ଏହା ଛଡା ଏକମୂଖୀ ନଡିଆ,ଶଙ୍ଖ ଓ କଉଡିର ପୂଜା କରିବାର ବିଧି, ବହୁ ଜାଗାରେ ପ୍ରଚଳିତ ଅଛି ।

ଏହା ଏକ ପବିତ୍ର ଦିନ ହେଉଥିବାରୁ, ଆମେ କିଛି ନା କିଛି ଭଲ କାମ କରିବା କଥା । ନିମ୍ନରେ କିଛି ମାର୍ଗଦର୍ଶକା ଆପଣଙ୍କ ଗୋଚରାର୍ଥେ....
* କିଛି ସୁନା ଅଳଙ୍କାର କିଣାକିଣି କଲେ ଘରେ ସୁଖବୃଦ୍ଧି ହୁଏ
* ଖରା ଦିନ ହୋଇଥିବାରୁ ଲୋକଙ୍କୁ ଜଳଦାନ କରନ୍ତୁ,ପୂଣ୍ୟ ଅର୍ଜନ ହେବ । ଧନୀବ୍ୟକ୍ତି ମାନେ ସୁନା,ରୂପା କିମ୍ବା ତମ୍ବା ପାତ୍ରରେ ଜଳଦାନ କରିବାର ବିଧି ମଧ୍ୟ ଅଛି ।
* ଏ ଅବସରେ ଚନ୍ଦନକାଠ ଦାନ କଲେ ଦୁର୍ଘଟଣାଦିରୁ ରକ୍ଷା ମିଳିଥାଏ ।
* ଦହିପାଣି ଦାନକଲେ ନିଜ ସନ୍ତାନଙ୍କ ପାଠପଢାରେ ଉନ୍ନତି ହୋଇଥାଏ ।
* ପିନ୍ଧିବା ବସ୍ତ୍ର,କପଡାଦି ଦାନ କଲେ ଲମ୍ବା ଜୀବନ ପ୍ରାପ୍ତ ହୋଇଥାଏ ।
* ନୂତନ ବ୍ୟବସାୟ, ଉଦ୍ୟୋଗ ଏବଂ କର୍ମସଂସ୍ଥାନର ଆୟମାରମ୍ଭ କଲେ ଶୁଭ ଲାଭ ମିଳେ ।
* ଆଜି ଦିନରେ ବୃକ୍ଷ ରୋପଣ ତଥା ଘରେ ଔଷଧାଗଛ ଲଗାଇଲେ ସୁଫଳ ମିଳେ ।
* ଏ ଦିନ ରାସ୍ତାର ବୁଲା ଗାଈ ଗୋରୁ ତଥା ଅନାନ୍ୟ ପଶୁଙ୍କୁ ଖାଇବାକୁ ଦେଲେ ପୂଣ୍ୟ ମିଳିଥାଏ ।

ଏପରି ଏକ ସୁନ୍ଦର ତଥା ମହାନ ଦିନକୁ ଭଲ ଭାବରେ ପାଳନ କରି,ଚାଲନ୍ତୁ ପ୍ରଭୂ ଶ୍ରୀ ବିଷ୍ନୁ ଓ ମାତା ଲକ୍ଷ୍ମୀଙ୍କ ଆର୍ଶୀବାଦ ଲାଭ କରିବା ଓ ପୃଥିବୀକୁ ସରସ ସୁନ୍ଦର କରିବା ।।
             *ସମାପ୍ତ*

Sunday, 23 April 2017

ଫଗୁଣ--ଭିନ୍ନ ରୂପରେ

    ।।ଫଗୁଣ--ଭିନ୍ନ ରୂପରେ ।।
*ବଲାଙ୍ଗୀରରେ*
ଫଗୁଣ ଆସିଲେ
ବଲାଙ୍ଗୀର ସହରରେ
ଭରିଯାଏ,ନିମ୍ବଫୁଲର
ମହମହ ବାସ୍ନା !!
ଲହଡି ମାରେ,ପଳାଶ ଫୁଲର
ହଳଦୀ ସୁନା ରଙ୍ଗ !!
ବଲାଙ୍ଗୀରର କ୍ଷୁଧା,ଅଭାବ ଭିତରେ
ଫଗୁଣ ଖିଲିଖିଲି ହସେ
ରଂଗରେ ଭିଜି ଭିଜି
ବାସ୍ନାରେ ଭରି ଭରି !!
*ଭୂବନେଶ୍ବରରେ*
ଫଗୁଣ ଏଇଠି ଆସେ,
ଖବର କାଗଜ ବିଜ୍ଞାପନରେ
ରାଜରାସ୍ତା କଡ ହୋଡିଂରେ !!
ରାଜଧାନୀ ଗଳି ଗଳିରେ
ମଇଳା କତରା ବସ୍ତା
ଧରି ଜରି ଗୋଟାଉଥିବା
ଝିଅଟିର
ରଂଗହୀନ ଓଠ ହସରେ !!
ଫଗୁଣ ଏଠି ଅଣ ନିଶ୍ବାସୀ
ବିକାକିଣା ବ୍ୟବସାୟରେ
ପାଣିଚିଆ,ଶୁଖିଲା,ଉପର ଦେଖାଣିଆ
ହସ ଉହାଡରେ !!
*ପ୍ରେମିକା ପାଇଁ*
ଫଗୁଣ ଆସିଲେ
ପଳାଶ ଫୁଲ ନାଲି ଓଠ ହସେ
ନିଆଁ ଲାଗେ;
କଳା-ଘନ-କବରୀ ତୁମର
ମହ୍ଲାର ଗୀତଗାଏ
ସେତେବେଳେ ତୁମେ
ଭାରିମନେ ପଡ ପ୍ରିୟେ !!
ଏକାକୀ ଏକାକୀ ସମୟର ଚକେ
ଲାଗଇ କି ସତେ
ଥାଆନ୍ତ କି ହାତ ପାଖେ !!
           *ସମାପ୍ତ*

ପ୍ରିୟା ପାଇଁ ତିନି ଗୀତ

  ।। ପ୍ରିୟା ପାଇଁ ତିନି ଗୀତ ।।
        ଆଶୁତୋଷ  ମେହେର
*୧*
ଦିନେ,
ଆକାଶ କହିଲା ମୋତେ,
ମାପି ପାରିବୁ କି
ମୋ ସୀମା ସରହଦ କେତେ?
କହିଲି ରେ ନୀଳବର୍ଣ୍ଣା
ମୋ ପ୍ରିୟା ଆଖି ନୀଳିମା ସରହଦେ
ତୁ ହେବୁ କାଳେ ଅଧ ପାଖେ !!
*୨*
ଦିନେ
ସମୁଦ୍ର କହିଲା ମୋତେ
ମାପି ପାରିବୁ କି
ମୋ ଗର୍ଭ ଗହୀରତା କେତେ?
କହିଲି ସାଗର ଆରେ
ମୋ ପ୍ରିୟା ହୃଦୟ ଗହୀରତା ପାଖେ
ତୁ ହେବୁ,ହାତେ ଅବା ଅଧ ହାତେ !!
*୩*
ଆଉ ଦିନେ,
ଫୁଲଟି କହିଲା ମୋତେ
ଜାଣିଛୁ କି କହ
ମୋ ବାସ ବାସନା
ମାଦକତା କେତେ ଭରା?
କହିଲି ଗୋ ଫୁଲରାଣୀ
ମୋ ପ୍ରିୟା ମହକ ମହୁଲି ମାଦକତା
ପ୍ରତି କ୍ଷଣେ ଭରେ
ମୋ ଜୀବନେ ସରସତା;
ତା ଆଗେ ତୋ ବାସ
ଲାଗେ, ପୁରା ପାଣିଚିଆ ପାଣିଚିଆ !!
            *ସମାପ୍ତ*

କିଏ ସେ

       ।। କିଏ ସେ ।।
       ଆଶୁତୋଷ  ମେହେର
ସପନେ କିଏ ସେ ଆସେ?
ମନର ଗହନ ଖେତେ
ରଂଗ ସବୁଜିମା ଢାଳି
ଭୁରୁଭୁରୁ ବାସ ବାସେ!!
ସପନେ କିଏ ସେ ଆସେ?
ମନର ଅସୀମ-କାଶେ
ରଂଗ ପିଚକାରୀ ଧରି
ଇନ୍ଦ୍ରଧନୁ ଯେ ଆଂକେ !!
ସପନେ କିଏ ସେ ଆସେ?
ମନର ସାଗର ତୀରେ
ଚଳଚଂଚଳ ଢେଉ ମାଳ ସାଜି
ଶିହରଣ ଢାଳୁଥାଏ !!
ସପନେ କିଏ ସେ ଆସେ
ନିଦ ତୁଟି ଗଲେ
ଆଖିରେ ସିଏ ଯେ ନାଚେ !!
ବାସର ବାସନା,
ଓଠର ଲାଲିମା,
ଦେହର ପରଶ,
ସବୁ ପଛ କରି
କାନେ ଚୁପ୍ ଚାପ କହେ,
ଏଇ ତ ଜୀବନ ବଂଚିବା ପାଇଁ
ତୁମ ରାହା ଧରି ମୁଁ,
ତୁମ ସରହଦେ,
ସରିତା ହୋଇ ଯେ ବହେ !!
          *ସମାପ୍ତ*

Friday, 21 April 2017

ଗଲ୍ପ-- ଜୀବନ ର ହସ

।। ଜୀବନ ର ହସ ।।
         ***ଆଶୁତୋଷ ମେହେର
ସବୁ ଦିନ ମନ୍ଦିର ବେଢାରେ ଶୋଉଥିବା ନିତାଇର ଆଖିରୁ ନିଦଟା ଭାଙ୍ଗିଲା।ମନ୍ଦିରବେଢାରେ ଥିବା, ନାଲି ଜରଜର ଫୁଲରେ ଭର୍ତ୍ତି ହୋଇଯାଇଥିବା, କୃଷ୍ଣଚୂଡା ଗଛରେ ତା' ଆଖି ପଡିଲା । ଏତେ ଟାଣ ଖରାରେ ବି ସବୁ କଷ୍ଟ ଭୁଲି କୃଷ୍କଚୂଡାଗଛଟା ଯେମିତି ହସରେ ଫାଟିପଡୁଛି ।
ଦୁଃଖକଷ୍ଟ ଦାରିଦ୍ର୍ୟ ସହ ଅହରହ ଲଢୁଥିବା ନିତାଇର ମନରେ ସତେ ଯେମିତି ଚିପ୍କି ଗଲା ସେ କୃଷ୍ଣଚୂଡାର  ହସଗୁଡା । ଭାବିଲା ସବୁ ଦୁଃଖକଷ୍ଟକୁ ଭୁଲି ସେ ବି ଏମିତି ଟିକେ ହସି ପାରିଲେ କେମିତି ହୁଅନ୍ତା ।
**ଚଟାଣରୁ ଉଠୁଁ ଉଠୁଁ ନିତାଇର ଓଠ ଫାଙ୍କରେ ଧାରିଏ ହସ ଖେଳୁଥିଲା........
             *ସମାପ୍ତ*

ଭିନ୍ନ ଚିତ୍ର

     ।। ଭିନ୍ନ  ଚିତ୍ର ।।
ଏଇଠି କୋଠାବାଡି
ବିରାଟ,ବଡ,ସୁଉଚ୍ଚ ।।
ଆଖି ପାଇବନି
ଏ ମୁଣ୍ଡରୁ ସେ ମୁଣ୍ଡକୁ ।।
ହେଲେ ଭିତର
ହୃଦୟ ବୋଲି ଜିନିଷଟା
ଏକଦମ ଛୋଟ,ବହୁତ ଛୋଟ ।।

ଏଇଠି ରାସ୍ତାଘାଟ
ବଡ ପ୍ରଶସ୍ତ ।।
ଏତେ ଚଉଡା ଯେ
ଏ ପଟୁ ସେ ପଟକୁ
ପାରି ହେବାକୁ ସମୟ ଦରକାର ।।
ହେଲେ ତା ଭିତରେ
ମନ ବୋଲି ଜିନିଷଟା ସଂକୀର୍ଣ୍ଣ
ଏକ ଦମ୍ ସଂକୀର୍ଣ୍ଣ ।।

ଏଇଠି ସଂପର୍କ ତିଆରି ହୁଏ ବହୁତ
କିଏ କାହାକୁ ଚିହ୍ନି ନ ଥିଲେ ବି
ଅଭିନୟ ଚାଲେ ଚିହ୍ନା ପରିଚୟର
ଭାବ ସଂପର୍କ ବହୁତ ନିବିଡ ଲାଗେ।।
ହେଲେ ଶେଷ ବେଳକୁ
ସବୁ ସରିଯାଏ
ବିକ୍ରୀବଟା ହିସାବକିତାବରେ ;
ଦରକାର ପଡିଲେ,
ଶେଷରେ ଏ ଦେହଟାକୁ
ଏବଂ ଯାହାକିଛି ମାନବିକତାକୁ ବି !!
*********

ଚାରୋଟି ସ୍କେଚ୍

    ।। ଚାରୋଟି ସ୍କେଚ୍ ।।
       ଆଶୁତୋଷ  ମେହେର
*ସମୁଦ୍ର*
ତା କୂଳର
ଅଶାନ୍ତ ଢେଉ ସବୁ ଦେଖିଲେ
କ'ଣ ଜାଣି ହେବ ଯେ
ଭିତରେ ସେ କେତେ
ଶାଂତ,ସ୍ଥିତପ୍ରଜ୍ଞ !!
*ଆଗ୍ନେୟଗିରି*
ତା'ର
ଶାଂତ ଗିରି ଗହ୍ବର ଦେଖି
କ'ଣ କହି ହେବ ଯେ
ତି ଭିତରର
ଟକ୍ ଟକ୍ ଫୁଟିଲା ଲାଭା
ଧ୍ବଂସଲୀଳା ରଚିବାର
ସୁଯୋଗରେ ଅଛି ।।
*ଗଛ*
ପବନରେ ଚୁପ୍ଚାପ ହଲୁଥିବା
ତା'କୁ ଦେଖିଲେ
କ'ଣ ଜାଣି ହେବ ଯେ
ଏ ସଂସାରକୁ
ଶାଂତ,ଶୀତଳ,ସତେଜ କରି
ଆଗେଇ ନେବାକୁ
ଅହରହ ସେ କର୍ମରତ ।।
*ମଣିଷ*
ଏ ମାଟିରେ ଖେଳି ବୁଲୁଥିବା
ତା'କୁ ଦେଖିଲେ
କ'ଣ କହି ହେବ ଯେ
ଗଢିବା ନାଁରେ ଧ୍ବଂସ କରିବାର
ବାଣ୍ଟିବା ନାଁରେ ସ୍ବାର୍ଥପର ହେବା
ଆହୁରି ଏମିତି କେତେ
ଛଳନାରେ ନାଟକ
ରୂପାୟନ କରିବାରେ
ସେ ଏକଦମ୍ ସିଦ୍ଧହସ୍ତ !!

********

Thursday, 20 April 2017

ମଣିଷ ଗଛ

    ।। ମଣିଷ ଗଛ ।।
       ଆଶୁତୋଷ  ମେହେର
ଗଛକୁ ଆମେ
ପ୍ରତିଦିନ ଦେଖୁଁ
ହେଲେ
ତା ଠୁଁ କିଛି ଶିଖୁନା ।
ଗଛଟା ଜନ୍ମ ନେଲା ଦିନ ଠୁଁ
କିଛି ନା କିଛି
ଦେଇ ଚାଲେ ।।
କାହାକୁ ଆଶ୍ରୟ
କାହାକୁ ଫଳ
କାହାକୁ ଫୁଲ
କାହାକୁ ପବନ
ତ,କାହାକୁ ମହକ ।
ମରିଗଲା ପରେ ବି
କାଠଗଡାଟା
ଚନ୍ଦନ ହୋଇ ଘୋରି ହେବା ଠୁଁ
ଯୁଇ ହୋଇ ଜଳିବା ଯାଏଁ ।
ହେଲେ ମଣିଷ ଗୁଡା
ଠିକ୍ ତା'ର ବିପରୀତ
ଜନ୍ମ ହେଲା ଠୁଁ ମରିବା ଯାଏଁ
ନିଜ ପାଇଁ ନେଇ ଜାଣିବା ଛଡା
ଅନ୍ୟକୁ କିଛି ଦେବାକୁ
ମନ ଧରେ ନା ।
ତେଣୁ ତ ମରିଗଲା ପରେ
ଆମ ଦେହଟା
ଅଦରକାରୀ ହୋଇଯାଏ ଯେ,
ନିଜ ଜ୍ଞାତି କୁଟୁମ୍ବ
ପୋତି ଦିଅନ୍ତି ତାକୁ
କି ପୋଡି ଦିଅନ୍ତି
ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ।।

***********

ଜୀବନ

     ।।  ଜୀବନ ।।
         ଆଶୁତୋଷ ମେହେର
ମୁଁ ଗଛ ଟି'ଏ
ହୋଇପାରନ୍ତି କି?
ଜଡ ବିସ୍ତାରି ଏ ମାଟିରେ
ବାହୁ ମେଲାଇ ପବନରେ
ଅନାଇଁ ଅନାଇଁ ସୂର୍ଯ୍ୟଙ୍କୁ
ସଂସାର ପାଇଁ
କରି ପାରନ୍ତି
କିଛି ଉପକାର !!
କେତେଜଣଙ୍କୁ
ଛାଇରେ ବସାଇ ମୋର
ମୁଠେ ଦିଅନ୍ତି
ପେଟପୁରା ଖାଇବାକୁ ।।
ହେଲେ ମଣିଷ ମୁଁ
ଅହଂକାରୀ,ଏ ମାଟିରେ ମୋର
କିଛି ଅଧିକାର
ନ ଥାଇ ବି
ମୁଁ ସ୍ବପ୍ନ ଦେଖୁଥାଏ
ସମ୍ରାଟ ହେବାକୁ ।।
ନିଜ ପାଇଁ
ସାଉଁଟା ସାଉଁଟିରେ
ଲଗାଇ ଦିଏ
ଜୀବନକୁ ଯେ
ପାଉଁଶ ହେବାଯାଏ
ତୁଟେ ନା
ମୋର ମୋହ ।।
*********

Wednesday, 19 April 2017

ଜୀବନ ଅନୁଚିନ୍ତା

    ।। ଜୀବନ ଅନୁଚିନ୍ତା ।।
         ଆଶୁତୋଷ ମେହେର
ଆମେ ସବୁ
ଉର୍ଦ୍ଧମୁଖ ହୋଇ
ଅନ୍ଧ ହେଉଛେ
ପରର ଶୌର୍ଯ୍ୟ କିରଣରେ ।।
ମୋହଗ୍ରସ୍ତ ହୋଇ ଧାଇଁଛେ
ପରର ପରାକାଷ୍ଠା ପଛରେ
ନିଜ ଯୋଗ୍ୟତାକୁ
ନ ପରଖି ।।
ଟିକିଏ ଆଖିକୁ
ଝୁଙ୍କାଇଲେ
ଦେଖି ପାରନ୍ତେ
ଆହୁରି ବେଶୀ
ଦୁଃଖରଙ୍କିମାନଙ୍କ
କଷ୍ଟ ପାଇବା ।।
ସାନ୍ତ୍ବନା ଦେବାକୁ
ହାତ ଟିକିଏ ବଢି ଯାଆନ୍ତା
ଆଉଁସାଇ ଦେବାକୁ
ତାଙ୍କ ପିଠିରେ !!
ମଣିଷ କାହିଁକି ବୁଝିପାରେ ନା ଯେ
ଜୀବନରେ
ଜିଣିବାକୁ ହେଲେ
ଥରେ ଅଧେ ହାରିବାକୁ ହୁଏ,
ସୁଖୀ ହେବାକୁ ହେଲେ
ଅନ୍ୟର ଦୁଃଖ ଲାଘବ କରିବାକୁ ହୁଏ,
ଜୀଇଁବାକୁ ହେଲେ
ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବାକୁ ହୁଏ,
ନିଜକୁ ଗଢିବା ପାଇଁ
ଅନ୍ୟକୁ ଭାଙ୍ଗିବା ଦରକାର ହୁଏନା !!
          *ସମାପ୍ତ*

ଦୁଇ ସଂପର୍କର ଧାର

   ।। ଦୁଇ ସଂପର୍କର ଧାର ।।
          ଆଶୁତୋଷ ମେହେର
*ନାରୀ*
ପାହାଡ ପରି ଉଚ୍ଚମନା
ଝରଣା ପରି ଛଳଛଳ
ଫୁଲପରି କୋମଳ
ମହୁମାଛି ପରି କର୍ମମୟ
ବିଜୁଳୀପରି ଚଳଚଞ୍ଚଳ
ମୋ କବିତାରେ
ଯେ ନାୟିକା ସାଜେ
ଚିର ନମସ୍ୟା ସେ
ପ୍ରକୃତି ନାରୀ !!

*ସଂପର୍କ*
ନଈର ଦୁଇକୂଳ
ନମିଶି ପାରିଲେ ବି
ଏକ ବିନା,ଆନେକର ସ୍ଥିତି
ଜାଣି ହୁଏନା !!
ଦୁହିଁଙ୍କର ସଂପର୍କ ଯେ ଅଛି ।
ସମୁଦ୍ରର ଢେଉ ସବୁ
ଦେହଘସି ହେଉଥାନ୍ତି କୂଳରେ
ପାଇବାକୁ ପରଶ ଟିକେ
କାହିଁ ପାଇଁ??
ସଂଜ୍ଞା ଖୋଜୁଥାନ୍ତି ସଂପର୍କର !!
           *ସମାପ୍ତ*

ଲୋଭି ରତ୍ନାକର

     ।। ଲୋଭି ରତ୍ନାକର ।।
          ଆଶୁତୋଷ ମେହେର
ସମୁଦ୍ରରେ!
ତୁ କୁଆଡେ ରତ୍ନାକର ?
ଗର୍ଭରେ ଭରି ରଖିଛୁ
ରତ୍ନର ଭଣ୍ଡାର !
ତଥାପି କିଆଁ ତୋର
ଏତେ ଲୋଭ ହେଲା ?
ଚୋରାଇନେଲୁ
ମୋର ଧନକୁ ।
ତୋର କୋଳରେ
ସେ ଖେଳୁଥିଲା
ସ୍ବପ୍ନ ଆଙ୍କୁଥିଲା ।
ବାଲିରେ ତୋଳୁଥିଲା
ତା' ଭବିଷ୍ୟତ !!
ଭାଙ୍ଗିଦେଲୁ
ତା' ବାଲିର ଘର !!
ସାଉଁଟିନେଲୁ
ସାରା ସଂସାର
ସ୍ବପ୍ନ ସବୁ ଉଜାଡିଦେଲୁ
ଅଣନିଶ୍ବାସୀ କଲୁ
ତୋର ବାହୁ ବଳରେ ।
ତୁ କ'ଣ ଧରିନେଲୁ
ତୋ କୂଳରେ,ଅନାଇ ରହିଥିବି
ମଥା ବାଡେଇବି,ଲୁହ ଝରାଇବି
ମୋ ଧନ ପାଇଁ?
ନାଁରେ ନାଁ
ମୁଁ ଯାହାକୁ
ଖୋଜିବୁଲନ୍ତି ସେ ପରା
ପୁନର୍ଜନ୍ମ ଲଭିସାରିବଣି
କେଉଁ ପାହାଡ କୋଳରେ
ତୋଠାରୁ ବହୁତ ଦୂରରେ
ତୋ ହାତ ପହଞ୍ଚର ବାହାରେ ।।
         *ସମାପ୍ତ*

Tuesday, 18 April 2017

ନୂତନ ସକାଳ

    ।। ନୂତନ ସକାଳ ।।
          ଆଶୁତୋଷ ମେହେର
ତୁ ଗୀତ ଗାଇବା ଶିଖିନେ
କୋଇଲି ହୋଇଯିବୁ ।
ତୁ ବାସନା ବିତରିବା ଶିଖିନେ
ପବନ ହୋଇଯିବୁ ।
ତୁ ଅଙ୍କାବଙ୍କା ହୋଇ ବହିବା ଶିଖିନେ
ନଈ ହୋଇଯିବୁ ।
ତୁ ଏଇମିତି
କୋଇଲି,ପବନ,ନଈ ଇତ୍ୟାଦି
ହେବାକୁ ଚେଷ୍ଟା କରୁଥା;
ଏ ସଂସାର ନୂଆଁ ଦେଖାଯିବ,
ସୂର୍ଯ୍ୟୋଦୟ ହେବ
ନୂଆଁ ସକାଳର
ଏ ଧରା ଉପରେ ।।
           *ସମାପ୍ତ*

Sunday, 16 April 2017

ତୋର ଚଲା ରାସ୍ତାରେ

ତୋର ଚଲା ରାସ୍ତାରେ
         ଆଶୁତୋଷ ମେହେର
ପାରୁଛୁ ଯଦି
ତୋର ଚଲା ରାସ୍ତାରେ
ଶୁଖି ଯାଉଥିବା ଗଛରେ
ପାଣି ମୁନ୍ଦେ ଢାଳି ଦେ !
ଅମୃତ ହୋଇ ସେ
ସଞ୍ଚି ରହିଯିବ,ତୋ
ଉତ୍ତରାଧିକାରୀଙ୍କ ପାଇଁ ।

ପାରୁଛୁ ଯଦି
ନଈ ଧାରରେ
ଭାସିଯାଉଥିବା ମଇଳାକୁ
ହାତରେ ଛାଣି ନେ !
ପୀୟୁଷ ଧାର ହୋଇ
ବହି ଚାଲିଥିବ
ତୋର ବଂଶଧରଙ୍କ
ତୃଷା ମେଣ୍ଟାଇବା ପାଇଁ ।।

ପାରୁଛୁ ଯଦି
ତୋ ନିକଟରେ
ଠିଆ ହୋଇଥିବା
ଅସହାୟ ମଣିଷଟିକୁ
ଟିକିଏ ମିଠା କଅଁଳ କଥା କହି ଦେ !
ଶୁଖି ଯାଉଥିବା
ମାନବିକତାର ଗଛରେ
ଫଗୁଣ ଆସିବ
ପ୍ରେମର ସବୁଜ
ଦୁଇପତ୍ର ମେଲାଇ ।।
          * ସମାପ୍ତ *

ଆଗାମୀ ସଙ୍କେତ


   ।। ଆଗାମୀ ସଙ୍କେତ ।।
ମୁଁ ନଦୀ ହୋଇ ପାରନ୍ତି
କୂଳରେ ଥିବା
ଶୋଷିଲାଙ୍କ ପାଇଁ
ଅମୃତଧାରୀ ।।
ମୁଁ ମହୁମାଛି ହୋଇପାରନ୍ତି
ପରିଶ୍ରମ କରି
ସଞ୍ଚିଥିବା ଅମୃତକୁ
ବାଣ୍ଟି ଦିଅନ୍ତି
ନିଜ ଜୀବନ ବଦଳରେ ।।
ମୁଁ ଜନନୀ ହୋଇପାରନ୍ତି
ପଣତ କାନିରେ
ଘୋଡାଇ ରଖନ୍ତି
ସାରା ସଂସାରକୁ
ଦୁଃଖର ବାଦଲ
ଅପସରି ଯିବାଯାଏ ।।
ମଣିଷ ମୁଁ
ସବୁ ହେଇ ପାରିବି
କିଂତୁ ପାଲଟି ଯାଇଛି
ଅନ୍ଧ,ମୂକ,ବଧିର
ଅହଂକାରରେ
କିଛି ଦେଖୁନି
କିଛି ଶୁଣୁନି
କିଛି ଅନୁଭବ କରୁନି
ଧ୍ବଂସଲୀଳାରେ ମାତି ରହିଛି
ଅଥର୍ବ ହେବାଯାଏ ।।
          *ସମାପ୍ତ*

ନିଃସହାୟ ମୁଁ

     ।। ନିଃସହାୟ  ମୁଁ ।।
       ଆଶୁତୋଷ  ମେହେର
କାଚ ଭାଙ୍ଗିଲେ ଗୁଣ୍ଡ
ମନ ଭାଙ୍ଗିଲେ ମତାନ୍ତର
ଏବଂ ସ୍ବପ୍ନ ଭାଙ୍ଗିଲେ ସାକାର !!
ଆଖି ଖୋଲିଲେ
ତୁମ ଛବି ଚକାଆଖି
ମୋତେ ଟାଣି ଧରେ
ଶ୍ରୀମନ୍ଦିର ଶିଖରରୁ
ନୀଳଚକ୍ର ବାନା
ସୂକ୍ଷ୍ମ ତନ୍ତୁରେ ।
ଏ ସଂସାର ଘାସ ଗାଲିଚାରେ
ଢଳ ଢଳ ମୁଁ
ଉଭେଇ ଯିବା ପୂର୍ବରୁ
ତୋ ପାଦକୁ
ଟିକିଏ ଛୁଇଁ ପାରନ୍ତି କି ?
ମୋର ସାତଜନ୍ମ
ଉଦ୍ଧାର ହୋଇଯାଆନ୍ତା
ତିଳେମାତ୍ର ଅବତାରେ
କୃପାରେ ତୋର
ଶରଧା ବାଲିର
ଗୋଟାଏ ରେଣୁରେ !!
         *ସମାପ୍ତ*

ଏକ,ଦୁଇ,ତିନି

    ।। ଏକ,ଦୁଇ,ତିନି ।।
       ଆଶୁତୋଷ  ମେହେର
*ଏକ* ପ୍ରେମିକା
ତୁମ ବେଣୀର ଗଜରାହାର
ଶୁଖିଯାଏ ଗୋଟାଏ ରାତିରେ
ବାସ୍ନା ବି ମରିଯାଏ
କିଂତୁ
ତୁମ ଓଠର ସତେଜତା
ମହମହ ବାସ୍ନା
ନିମନ୍ତ୍ରଣ କରୁଥାଏ
ମୋର ଆଗାମୀ କାଲିକୁ ।।
*ଦୁଇ*  ସ୍ତ୍ରୀ
ମୋର ଜୀବନକୁ
ଉପହାର ନେଇ
ମଥାରେ ମାରିଲ
କିଂତୁ ମୋତେ
ଲେଉଟାଇଲ ଯାହା
ମୁଁ ସ୍ବାର୍ଥପର
ନାଁ ଦେଇଦେଲି
ବଂଶଧର ବୋଲି ।।
*ତିନି*  ଝରଣା
କିଏ ତାକୁ ବାନ୍ଧିବ?
ସେ ତ ବହି ଚାଲିଥିବ
ଠିକ୍ ତୁମ ପରି
ମୋର ଜୀବନ
ଚଉହଦ ଉପରେ
ମୁଠା ମୁଠା ଫୁଲ ବିଛାଇ
କେବେ କେବେ
କିଛି କଣ୍ଟା ବି !!!!
           ସମାପ୍ତ

Saturday, 15 April 2017

ପ୍ରେମିକା

    ।। ପ୍ରେମିକା ।।
ତୁମକୁ ନେଇ
କି ଗଜଲ ମୁଁ ଲେଖିବି
ରୂପ ବର୍ଣ୍ଣନାରେ ତୁମ
ବିମୋହିତ ହୋଇଯାଉଛି
ମୋ ଲେଖନୀର କାଳି !!

ତୁମକୁ ନେଇ
କି ଚିତ୍ର ମୁଁ ଆଙ୍କିବି
ତୁମ ରୂପ ରୂପାଙ୍କନରେ
ସ୍ଥିର ହୋଇ ଯାଉଛି
ମୋ ତୁଳୀର ରଂଗ !!
          *ସମାପ୍ତ*

ସ୍ମୃତି

     ।।  ସ୍ମୃତି ।।
        ଆଶୁତୋଷ  ମେହେର
ସ୍ମୃତି ସବୁ
ସମୁଦ୍ର ଲହରୀ,
ଜୀବନ ବେଳା ଭୂମିରୁ
ପୋଛି ନେଉଥାନ୍ତି
ମୁଠାଏ ମୁଠାଏ ବାଲି !!
ସ୍ମୃତି ସବୁ
ଫୁଲର ବାସ୍ନା,
ଜୀବନର ଚଲା ରାସ୍ତାରେ
ବିଂଚି ଦେଉଥାନ୍ତି
ମୁଠାମୁଠା ମହକ ।।
          ** ସମାପ୍ତ **

Thursday, 13 April 2017

ଓଡିଆ ନବବର୍ଷର ମହତ୍ତ୍ବ

   ।। ଓଡିଆ ନବବର୍ଷର ମହତ୍ତ୍ବ ।।
       ଆଶୁତୋଷ ମେହେର

ଆଜି ମହାବିଷୁବ ସଂକ୍ରାନ୍ତି,ପୃଥିବୀ ସୃଷ୍ଟିର ମୂଳପିଣ୍ଡ ସୂର୍ଯ୍ୟ ଦେବଙ୍କ ଉତ୍ତର ଗୋଲାର୍ଦ୍ଧକୁ ଆଗମନର ପବିତ୍ର ଦିନ ।ଏ ପବିତ୍ର ଦିନକୁ ଓଡିଆ ନବବର୍ଷରୂପେ ପାଳନ କରାଯାଏ ।ଏହି ଦିନ ମଧ୍ୟ ଓଡିଆ ନୂତନ ପାଞ୍ଜି ପ୍ରଚଳନ ହୋଇଥାଏ।ଏହି ଦିନ ପୃଥିବୀ ମୀନ ରାଶି ଡେଇଁ ମେଷ ରାଶିରେ ପ୍ରବେଶ କରନ୍ତି ଓ ଏହା ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗଣା ଯାଏ । ଏହିପରି ଏକ ଶୁଭ ଦିନରେ ଓଡିଆ ନବବର୍ଷ ପାଳନ ଅବସରରେ ଅନେକ ପୂଜାପାଠ, ହୋମଯଜ୍ଞ, ଦାନଧର୍ମାଦି ଆଦି ପବିତ୍ରକାମ କରାଯାଏ । ବର୍ଷର ପ୍ରଥମ ଦିନ ହୋଇଥିବାରୁ ଦେବ ଦେବୀ ପିଠରେ ପୂଜାପାଠ ଅନୁଷ୍ଠିତ ହୋଇଥାଏ ।
*ପଣା ସଂକ୍ରନ୍ତି*
ଭୌଗଳିକ ଦୃଷ୍ଟିରୁ ଏହି ଦିନଠାରୁ ଖରାର ପ୍ରକୋପ ବଢିବାକୁ ଆରମ୍ଭହୁଏ ଏବଂ ଜୀବଜଗତ ପାଇଁ ପାଣି ଅଧିକ ଦରକାର ହୁଏ । ମଣିଷ ଏଥିପାଇଁ ପଣା, ଯାହାକି ବିଭିନ୍ନ ସୁମଧୁ୍ୟର ଦ୍ରବ୍ୟାଦିକୁ ଘୋଳକରି ତିଆରି କରାଯାଏ,ତାକୁ ପିଇ ଉପଭୋଗ କରନ୍ତି;ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ରୂପେ ପାରମ୍ପାରିକ ଭାବେ ପାଳନ କରାଯାଏ ।
*ତୁଳସୀ ଓ ବସନ୍ତରା ଘଡି*
ଓଡିଆ ସଂସ୍କୃତିରେ ତୁଳସୀଗଛ ଓ ଘରଅଗଣାରେ ତୁଳସୀଚଉରା ର ମହତ୍ତ୍ବ ବହୁତ ବେଶୀ । ଖରାରୁ ଏ ଗଛକୁ ରକ୍ଷା କରିବା ପାଇଁ ପଣା ଅର୍ପଣ କରାଯାଏ ଓ ଶିକା ସାହାଯ୍ୟରେ ପଣାଭର୍ତ୍ତି ଏକ ଠେକି ପ୍ରାୟ ଏକମାସ ଧରି ଝୁଲାଇ ରଖାଯାଏ ।ଏହାକୁ "ବସନ୍ତରା ଘଡି' କୁହାଯାଏ ।
*ମହାବୀର ହନୁମାନ ଜୟନ୍ତୀ *
ଜ୍ଞାନ,ବୁଦ୍ଧି ଓ ବଳର ପ୍ରତୀକ,ଅଞନାସୁତ, ପବନପୁତ୍ର ତଥା କେଶରୀ ନନ୍ଦନ ବୀର, ଶ୍ରୀରାମ ପରମଭକ୍ତ ଶ୍ରୀ ହନୁମାନଙ୍କ ଜନ୍ମଦିନ ଭାବେ ମଧ୍ୟ ଏ ଦିନ ପାଳନ ବଡ ଆଡମ୍ବର ସହକାରେ ପାଳନ କରାଯାଏ ।
ଏ ସବୁର ସମ୍ରିଶଣରେ ଓଡିଆ ନବବର୍ଷର ମହତ୍ତ୍ବ ଆହୁରି ମହନୀୟ ହୋଇଯାଏ । ଏହା ଆମ ଓଡିଆ ତଥା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଜୟ ଓଡିଶା । ବନ୍ଦେ ଉତ୍କଳ ଜନନୀ । ଜୟ ଓଡିଆ ଭାଷା ଏବଂ ସଂସ୍କୃତି ।।
          * ସମାପ୍ତ *

Wednesday, 12 April 2017

ଜୀବନ ଛନ୍ଦ(୨)

    ।। ଜୀବନ ଛନ୍ଦ(୨) ।।
      ଆଶୁତୋଷ  ମେହେର
ଜନମ ଏଇଠି ମରଣ ଏଇଠି
ସଂସାର ଯେ ନାଟଶାଳା,
ଆଗେ କେ ଆସିବ କେ ଫେରିବ ପରେ
ସେ ତ ସମୟର ଲୀଳା ।।
କେ ହସି ଫୁଟିବ ବାସ ବିତରିବ
ସଭିଁଙ୍କ ମନକୁ ଜିଣି,
କିଏ ଅବା ଯିବ ଅଦିନେ ମଉଳି
ଅଜଣା ଅଶୁଣା ପୁଣି ।।
ପର ପାଇଁ କାହା ଜୀବନ ଜଳିବ
ଅନ୍ଧକାର କରି ଦୂର,
ସେ ମାନବ ଜୀବ ସଫଳ ଲାଗଇ
ସ୍ଥାନ ତା' ପ୍ରଭୂ ପୟର ।।
              *ସମାପ୍ତ*