।।ଶୁଖିଲା ପତର କହେ ।।
ଆଶୁତୋଷ ମେହେର
ସମୟ ସରିଲା ପଡିଲି ମୁଁ ଝଡି
ଶୁଖିଲା ପତର ଟି'ଏ
ଏମତି କେତେ ଆସି ଫେରିଲେଣି
ସମୟର ଧାର ସୁଏ ।
ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଂଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।
ଯଉବନ ଥିଲା ଥିଲା ମାଦକତା
ଚହଟ ଚିକ୍କଣ ଦେହ
ଭରି ରହିଥିଲା ହସର ଲହଡି
ନ ଥିଲା ଯେ ଟିକେ କୋହ ।
ସେବା କରିଥିଲି ଅଜଣା ପଥିକେ
ଦେଇ ଛାୟା ସୁଶୀତଳ,
ମୋ ପାଖ ଶାଖାରେ ଫଳୁଥିଲା କେତେ
ସୁମଧୁର ମିଠା ଫଳ ।
ଦେଇବାର ମଜା ସିଏ ସିନା ଜାଣେ
ଠିଆ ହୋଇ ଦାତା ପଣେ
ନେବା ଠାରୁ ଦେବା କେତେ ଯେ ମହାନ
ଦେବା ଲୋକ ସିନା ଜାଣେ ।
ଜୀଇଁବା ମରିବା ସଭିଁଙ୍କର ଲାଗି
ଶୁଖିଲା ପତର କହେ
ଛୋଟ ହୋଇ ପାରେ ଜୀବନ ସରିତା
ଅସାର ନୁହେଁ ତା କେଭେ ।।
*ସମାପ୍ତ*
Friday, 26 May 2017
।।ଶୁଖିଲା ପତର କହେ ।।
Labels:
ଆଶୁତୋଷ ମେହେର
Subscribe to:
Post Comments (Atom)
No comments:
Post a Comment