Friday, 24 March 2017

କ୍ଷୁଦ୍ରଗଲ୍ପ-- ନିଶା

ଗଲ୍ପ
     ।। ନିଶା ।।
ଖରା ଟା'ଣ ଧରିଲାଣି...ଗଛ ଛାଇରେ କାମରୁ ଟିକେ ଥକା ମାରୁଥିଲା ମନୁଆଁ ।
ଆଗ ପାନଦୋକାନରେ ହଠାତ୍ ପହଞ୍ଚିଗଲେ ପାଞ୍ଚ ଛଅଜଣ ଟୋକା ମଟରସାଇକେଲରେ...ଦୋକାନରୁ କ'ଣ ସବୁ ନାଲିନାଲି ବୋତଲ କିଣି ଢୋକିଗଲେ..ଢକ୍ ଢକ୍ ଓ ଚାଲିଗଲେ ନିଜ ବାଟରେ ।
ମନୁଆଁ ତା' ନିଜ କଥା ଭାବୁଥିଲା।ସଂଧ୍ୟାରେ ସେ ବି ଏମିତି କରେ।ଦିନତମାମ ପରିଶ୍ରମ ପରେ ଏମିତି ଗୋଟେ ପାଉଚ କିଣି ଢକଢକ ପିଇ ସେ ଶୋଇଯାଏ ଆରଦିନ ଉଠି କାମକୁ ଯିବା ପାଇଁ.. ହେଲେ ଏଇ ସକାଳ ବେଳା ଫଠଫଠିଆ ଚଢୁଥିବା ବାବୁମାନଙ୍କ କ'ଣ ପାଇଁ ଦରକାର ..ଏ ଗୁଡା..ଏଇ ସେ ନିଶା ....
    ସମାପ୍ତ** @ଆଶୁତୋଷ ମେହେର

Sunday, 19 March 2017

ପଖାଳ ର' ସ୍ବାଭିମାନ

  ।। ପଖାଳ ର' ସ୍ବାଭିମାନ ।।
          ଆଶୁତୋଷ ମେହେର

ଆଜି ଖରା ଟା ଟିକେ ଟାଣ ଜଣାପଡୁଛି।ଷ୍ଟେସନରେ ଯାତ୍ରୀକୁ ଛାଡି ଆସିବାରେ ଟିକେ ଡେରି ହୋଇଯାଇଛି...ଅଟୋକୁ ଗଳିରାସ୍ତାରେ ରଖି ଘରେ ପଶିଲା ବେଳକୁ ରବୀନ୍ଦ୍ର ଭାବୁଥିଲା ଏ ପାଗରେ ଖରାବେଳିଆ ପଖାଳଖିଆ ବହୁତ ମଜାଦାର ଲାଗିବ। ରମା,ତା ସ୍ତ୍ରୀ ତା'ପାଇଁ ରସୁଣ ର୍ଭୂସୁଙ୍ଗାପତ୍ର ଛୁଙ୍କ ଦେଇ କ'ଣ ଟିକେ ଭଜାଭଜି କରିଥିବ ସବୁଦିନ ପରି।
କ`ଣ ଡେରି କଲ ଯେ?ଜଲଦି ହାତମୁହଁ ଧୋଇ ବସ..ତୁମ ପାଇଁ ଖାଇବା ବାଢିଦେଇଛି..ରମାର କଥା ରବିର କାନରେ ବାଜିଲା ।
ହଁ ରେ ଆଜି ପରା ଆମ ରାଓ ବାବୁଙ୍କୁ ଷ୍ଟେସନ ଛାଡିବାର ଥିଲା ତେଣୁ ଡେରି ହେଲା ଟ୍ରାଫିକ ଜାମ ପାଇଁ..ଆମ ରାଓ ବାବୁ ଅଣଓଡିଆ ହେଲେ ବହୁତ ଭଲ ଲୋକ ଯେ...
ରାଓ ବାବୁଙ୍କ ଘରେ ରମା ନିତିଦିନିଆ କାମ ଭି କରେ କହିଲା.. ହଁ ରାଓ ବାବୁଆଣୀ ମଧ୍ୟ ଭଲ ଲୋକ। ଦେଖ ଦୁଇ ଜଣଯାକ ସ୍ବାମୀ ସ୍ତ୍ରୀ ବଡ ଛାକିରୀ କରନ୍ତି..କେତେ ଭଲ ସ୍ବଭାବର...।

ରବି ଖାଇବାକୁ ବସି ଦେଖିଲା ଆଜି ପଖାଳସହ ନିତିଦିନିଆ ସହ ତିନି ଚାରିଟା ଅଲଗା ତିଅଣ ପଚାରିଲା... କଥା କ'ଣ ରମା ଆଜି ଏତେ ଗୁଡା ସବୁ ??
--ଆରେ ହଁ,ତୁମକୁ କହିବାକୁ ଭୁଲିଯାଇଛି। ଆମ ବାବୁଆଣୀ କିଛିଦିନ ହେଲା ମୋତେ କହୁଥିଲେ କ'ଣ ଗୋଟେ ପଖାଳ ଦିନି ଆସୁଛି.. ପଚାରିବୁଝୁଥିଲେ ପଖାଳ କେମିତି ତିଆରି କରାଯାଏ; ତା' ସହ କ'ଣ ସବୁ ତିଅଣ ତରକାରୀ ଖିଆଯାଏ, କେମିତି ସେଗୁଡା ତିଆରି କରାଯାଏ । ମୋତେ ଯେତେ ଆସୁଥିଲା ତାଙ୍କୁ କହିଥିଲି.. ତାପରେ ସେ ବି କିଛି ବହିପତ୍ର ପଢି ଆଜି ବାବୁଙ୍କ ପାଇଁ ପଖାଳ ସହ ଅନେକ ଜିନିଷ ତିଆରି କରିଥିଲେ ।ବାବୁ ତାଙ୍କରି ଖାଇ କରି ଷ୍ଟେସନ ଗଲା ପରେ,ମୋତେ ବି ଦେଲେ ତାଙ୍କରି ତିଆରିରୁ କିଛି.... କହିଲେ ଖାଇ କିନା କହିବୁ କେମିତି ଲାଗିଲା....
ରମା କହି ଚାଲିଥିଲା...ରବି ତା ପଖାଳ ଖିଆ ଆରମ୍ଭ କରି ସାରିଥିଲା..କହିଲା ବଢିଆ ହୋଇଛିରେ ଜିନିଷ ଗୁଡା ଆମ ଓଡିଆଙ୍କ ତିଆରି ପରି....
ରବି ଭାବୁଥିଲା ତାଙ୍କ ପରି ଓଡିଆ ଖଟିଖିଆ ପାଇଁ ଖରାବେଳା ପଖାଳ ଟା ଜରୁରୀ କିଂତୁ ଆଣଓଡିଆ ବାବୁମାନଙ୍କ ପଖାଳଖିଆ, ଏ ପଖାଳଦିବସର ଏକ ପ୍ରକାରର ସଉକ....ହେଉପଛେ ଦିନକ ପାଇଁ ।
ରବି ଖୁସି ହେଉଥିଲା ଏ ପଖାଳ ଟା ସତରେ ଓଡିଆଙ୍କ ଅତି ନିଜର.. ପରିଚୟର ଚିହ୍ନ... ମନେ ମନେ ଛାତି ତା'ର ଫୁଲିଉଠୁଥିଲା ସ୍ବାଭିମାନରେ ....
        ******ସମାପ୍ତ****

Friday, 17 March 2017

ବାର୍ତ୍ତାଳାପ-ଏକ ଭିନ୍ନ ଚିନ୍ତାଧାରା

                ବାର୍ତ୍ତାଳାପ-ଏକ ଭିନ୍ନ ଚିନ୍ତାଧାରା
                                       ଆଶୁତୋଷ  ମେହେର
ମଣିଷର ସୃଷ୍ଟିରୁ ଆରମ୍ଭ କରି ଆଜି ପର୍ୟ୍ୟନ୍ତ ଯେତେ ଅଗ୍ରଗତି କରିଛି,ତା ପାଇଁ ମତାମତଆଦାନପ୍ରଦାନ ବା ବାର୍ତ୍ତାଳାପ (Communication) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଚାଲିଛି ।ପରିବାରରେ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ, ସମାଜରେ ବନ୍ଧୁବା ତଥା ବିଭିନ୍ନ ବର୍ଗ ମଧ୍ୟରେ ସମନ୍ବୟ ତଥା ଶାସନରେ ଶାସକ ଓ ଶାସିତ ମଧ୍ୟରେ ବିଶ୍ବାସର ଧାରାକୁ ଆଗେଇ ନେବାରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ନେଇ ଆସିଛି ଏବଂ ଏବେ ମଧ୍ୟ ଜାରିରହିଛି ।
ପ୍ରାଚୀନ ପ୍ରସ୍ତର ଯୁଗରେ ଧ୍ବନି ଓ ଶଦ୍ଦ ମଧ୍ୟମରେ ଏହା ଆରମ୍ଭ ହୋଇ ଧୀରେ ଭାଷାବାର୍ତ୍ତାରେ ରୂପାନ୍ତରିତ ହେଲା।କଥିତ ଭାଷାର ଲିଖିତ ରୂପ ନେଇ ଚଠି ଓ ପତ୍ରାଳାପ ଆରମ୍ଭ ହେଲା।ପରେପରେ ବିଭିନ୍ନ ମାଧ୍ୟମର ଆବିଷ୍କାର ଓ ଉଦ୍ଭାବନ ହୋଇ ରେଡିଓ,ଟେଲିଫୋନ,ମୋବାଇଲ,
ଇନଟରନେଟ,ଇମେଲ,ଏସଏମଏସ,
ହ୍ବାଟସଆପ,ଟ୍ବିଟର ଓ ଫେସବୁକ ରୂପରେ ବହୁଳଭାବେ ପ୍ରଚାରିତ ଓ ପ୍ରସାରିତ ହୋଇଯାଇଛି।ଡିଜିଟାଲ୍ ଇଲୋକଟ୍ରନିକ ଓ ଅନଲାଇନ ବ୍ୟବସ୍ଥାରେ ବାର୍ତ୍ତାଳାପ ସର୍ବବ୍ୟାପି ଓ ଦ୍ରୂତଗାମୀ ହେଇ ପୃଥିବୀର ପରିସୀମାକୁ ଛୋଟ କରିସାରିଲାଣି।
କିଂତୁ ଏ ସବୁର ବହୁଳ ପ୍ରଚାର ଓ ପ୍ରସାର ଫଳରେ ଦେଖାଗଲା ଯେ ଧୀରେ ଧୀରେ ମଣିଷକୁ ଯନ୍ତ୍ରବତ କରି ଆମକୁ ବନ୍ଧୁପରିଜନଙ୍କ ଠାରୁ ପାରସ୍ପାରିକ ଭାବେ ଦୂରକୁ ନେବାକୁ ଲାଗିଲା। କାହା ସହିତ ସିଧାସଳଖ ସମ୍ମୁଖ ବାର୍ତ୍ତଳାପ ନ କରି,ଏହି ଡିଜିଟାଲ ମାଧ୍ୟମରେ ଏକ ଶୁଖଲା ବାର୍ତ୍ତି ଟି'ଏ ପଠାଇବାକୁ ଖୋରାକ ଯୋଗାଇଲା।ଯଦିଓ ଏହା ଜିନିଷକୁ ସହଜ ଓ ଖିପ୍ରକଲା, ତେବେ ଆମର ମାନବିକତାକୁ ଧୀରେଧୀରେ ଏକ ଭିନ୍ନମୋଡ ଦେଲା।କାହାର ସୁଖଦୁଃଖରେ କିଛି ସମୟ କାଢି ତା ପାଖକୁ ଯାଇ ସମବେଦନା ଜଣାଇବା ବଦଳରେ,ନିଜ ମୋବାଇଲରେ ଏକ ଛୋଟ ବାର୍ତ୍ତା ପ୍ରେରଣା  କରି ନିଜ କର୍ତ୍ତବ୍ୟ ଶେଷ କରିଦେଲା।ସତେ ଯେମିତି ଏ ସଂସାରରେ ଏକ ପରିଚିତ ମଣିଷପାଇଁ ଗୋଟାଏ ପୁରାଧାଡି ବି ଲେଖିବାର ସମୟ ଯେମିତି ଆମ ପାଖରେ ନାହିଁ।ଏହି ପ୍ରକାରର ଚିନ୍ତାଧାରାରେ ବୁଡିରହି ଆମେ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ହରାଇ ଦେଲା ।
କିଛି ସମୟ ପୂର୍ବେ,ସକାଳ ବା ସଂଧ୍ୟା ସମୟରେ, କିଛି ବଂଧୁଙ୍କ ଗହଣରେ ସାମାନ୍ୟ ଚା'ଜଳଖିଆ ସହ ବାର୍ତ୍ତାଳାପ କରିବାର ସୈହାର୍ଦ୍ୟପୂର୍ଣ୍ଣ ପରିବେଶ ଆମେ ଆଉ ଦେଖିବାକୁ ପାଉନାହୁଁ। ଦୁଃଖର କଥା ଛୋଟ ଛୋଟ ସହରରେ ମଧ୍ୟ ଏ ସମ ଅବସ୍ଥା। ମାନବୀୟ ଆର୍କଷଣ,ସମବେଦନା ଓ କଥାବାର୍ତ୍ତ ର ମହତ୍ତ୍ବ ସତେ ଯେମିତି ହଜିଯାଉଛି ।

ତେବେ ଏ ସବୁକୁ ଭୁଲି,ତଥାକଥିତ ବ୍ୟସ୍ତଜୀବନରୁ ନିଜକୁ ମୁକ୍ତକରି କିଛି ଧୀରଶାନ୍ତ ସମୟର ଉପଭୋଗ ଓ ଉପଯୋଗ କରନ୍ତୁ। ନିଜର ସାଂଗସାଥୀ ବନ୍ଧୁପରିଜନଙ୍କ ସାନ୍ନିଧ୍ୟ ଲାଭକରି କିଛି ଉତ୍ତମ ସମୟ ବିତାନ୍ତୁ। ଦେଖିବେ ନିଜେ ନିଜକୁ ରୁଦ୍ଧିମନ୍ତ କରିବାସହ ଅନ୍ୟକୁ ମଧ୍ୟ ତତୋଧିକ ଖୁସି କରୁଛନ୍ତି ଏବଂ ବହୁତ ଭଲକାମ ସମାଜ ପାଇଁ କରୁଛନ୍ତି।
      *******ସମାପ୍ତ******

Wednesday, 15 March 2017

ସଫଳ ଜୀବନ ପାଇଁ ପାଞ୍ଚ ପାହାଚ


।।ସଫଳ ଜୀବନ ପାଇଁ ପାଞ୍ଚ ପାହାଚ।।

ଏ ସଂସାରରେ ଜନ୍ମ ନେଇ ଜୀବନକୁ ସଫଳ ଭାବେ ବଞ୍ଚିବା ହିଁ ଆମ ପାଇଁ ଭଗବାନ ଦତ୍ତ ବରଦାନ । ଏ ବରଦାନକୁ ଠିକ୍ ଭାବରେ ପରିଚାଳନା କରିବାରେ ଅନେକ ବାଟ ଅଛି କିଂତୁ ସ୍ବାମୀ ବିବେକାନନ୍ଦଙ୍କ ଦର୍ଶାଇଥିବା ପାଞ୍ଚ ନିୟମ ବା ପାହାଚ ପ୍ରଣିଧାନ ଯୋଗ୍ୟ ।
**ପ୍ରଥମ--ପ୍ରତ୍ୟେକ ଜିନିଷକୁ ଠିକ୍ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ହେବ**
ଜୀବନରେ ଘଟୁଥିବା ଘଟଣାଗୁଡିକକୁ ସାକାରାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରିବାକୁ ହେବ । କହିବା କଥା ସବୁ ଘଟଣାର ସାକାରାତ୍ମକ ଓ ନାକାରାତ୍ମକ ଭାବେ ଦୁଇଟା ଦିଗ ଥାଏ। ସାକାରାତ୍ମକ ଦୃଷ୍ଟି ହିଁ ଆମକୁ ଆଗକୁ ବଢିବାର ପ୍ରେରଣା ଓ ସୁଯୋଗ ଦିଏ ।ଏଇଥିପାଇଁ ଆମକୁ ବିଚାରାବନ୍ତ ହେବାକୁ ହେବ ଓ ସଂସାରରେ ସାକାରାତ୍ମକ ଜିନିଷକୁ ଗ୍ରହଣକରି ନାକାରାତ୍ମକୁ ଛାଡିବାକୁ ପଡିବ ।
**ଦ୍ବତୀୟ--ସଂସାରରେ କିଛି ଅସମ୍ଭବ ନୁହେଁ**
ଆମେ ସମସ୍ତେ ଭଗବାନଙ୍କ ଅନବଦ୍ୟ ସୃଷ୍ଟି ଓ ଅନୁପମ ।ଏ ସଂସାରରେ ଏମିତି କିଛି କାମନାହିଁ, ଯାହା ମଣିଷ ଦ୍ବାରା ହୋଇ ପାରିବ ନାହିଁ । ତେବେ ଏଇଥି ପାଇଁ ନିଜ ଉପରେ ବିଶ୍ବାସ ରଖି ନିଜ ସାକାରାତ୍ମକ ଶକ୍ତି ସଠିକ ବିନିଯୋଗ କଲେ ସମସ୍ତ ସଫଳତା ଆମକୁ ମିଳିବ।
**ତୃତୀୟ--ସଂସାରରେ ସୁଖ ବାଣ୍ଟନ୍ତୁ**
ମଣିଷ ଜୀବନରେ ଦେବାର ସୁଖ; ନେବାର ସୁଖ ଠାରୁ ବହୁତ ବେଶୀ।ଏହାକୁ ମନେରଖି ନିଜେ ଅନ୍ୟମାନଙ୍କ ପାଇଁ ଏକ ସୁଖର ଉତ୍ସ ହେବା ଆମର ଧ୍ୟେୟ ହେବା ଉଚିତ। ଏହି ସୁଖ ପ୍ରଦାନରେ ଯେଉଁ ଆନନ୍ଦାନୁଭୂତି ଅନୁଭବ ହୁଏ,ତାହା ଜୀବନର ଏକ ଅତୁଲ୍ୟମୟ ଅନୁଭୂତି।ଏହାକୁ ହାତଛଡା କରିବା କଥା ନୁହେଁ।
**ଚତୁର୍ଥ--ନିଜ ଅନ୍ତରାତ୍ମାକୁ ଶୁଣନ୍ତୁ**
ସବୁବେଳେ ନିଜର ହୃଦୟ ଭିତରକୁ ଦେଖନ୍ତୁ ଓ ଅନ୍ତରାତ୍ମାକୁ ନୀରିକ୍ଷଣ କରି ଶୁଣନ୍ତୁ ।ଏହା ହିଁ ଆପଣଙ୍କୁ ଠିକ୍ ଦିଗରେ ପରିଚାଳିତ କରିବ। କେବେ କେମିତି ଏହା ଆପଣଙ୍କୁ ନିରାଶ କଲେ, ପ୍ରଭୂଙ୍କୁ ସୁମରି ଧ୍ୟାନମଗ୍ନ ହୁଅନ୍ତୁ; ଦେଖିବେ ଭଗବାନ ଆପଣଙ୍କୁ ଠିକ୍ ଉତ୍ତର ଖୋଜାଇ ଦେବେ।
**ପଞ୍ଚମ--ପ୍ରେମମୟ ଜୀବନ ଲକ୍ଷ୍ୟ ହେଉ**
ମଣିଷ ଜୀବନରେ ପ୍ରେମ ଏକ ଅନନ୍ୟ ଅନୁଭୂତି ଓ ନିଜ ଭିତରେ ସ୍ବୟଂ ସଂପୂର୍ଣ୍ଣ।ଏହା ହିଁ ଜୀବନକୁ ଚରମ ଅନୁଭୂତି ପ୍ରଦାନ କରେ। ନିଶ୍ବାସ/ପ୍ରଶ୍ବାସ ଯେମିତ ଆମ ପ୍ରାଣକୁ ବଞ୍ଚାଇ ରଖେ,ଠିକ୍ ସେମିତି ପ୍ରେମାନୁଭୂତି ଜୀବନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ ।

ତେଣୁ,ଏହି ପାଞ୍ଚଗୋଟି ପାହାଚ ଚଢିପାରିଲେ  ଜୀବନରେ ସଫଳତା ସହଜରେ ମିଳିଥାଏ ।
          **** ସମାପ୍ତ****

Monday, 13 March 2017

।। ମୋ ଟ୍ବିଟର ରୁ କ୍ଷୁଦ୍ରଗଲ୍ପ ।।

  ।।ମୋ ଟ୍ବିଟର ରୁ କ୍ଷୁଦ୍ରଗଲ୍ପ ।।
      ଆଶୁତୋଷ  ମେହେର
୧-ହୋଲି ଖେଳ
ଫଗୁ ଖେଳରେ ତଳେ ବିଛାଡି ହୋଇ ପଡିଥିବା ଜରି ତକ ଘୋଟାଇବା ବେଳେ ମନୁଆଁ ଭାବୁଥିଲା ଏ ହୋଲି ପ୍ରତିଦିନ ହେଲେ ତା' କମାଣି ଭଲ ଧାର ଧରନ୍ତା

୨--ମୁକ୍ତ ବଜାର
ଆପୋଲୋ ହସପିଟାଲ୍ ସାମ୍ନାରେ ଜଡିବୁଟି ପସରା ମେଲେଇବାର ବ୍ୟସ୍ତଥିଲା ଚକରା । ତା ଶରୀରରେ ମୁଁ ଦେଖୁଥିଲି ଏକ ମଲ୍ଲଯୋଦ୍ଧାର ପ୍ରାକ୍ ପ୍ରସ୍ତୁତି ।

୩--ଅଦିନିଆଁ ବର୍ଷା
ବର୍ଷାରେ ଓମଫେଡ ଦୋକାନରେ ଗରମ ଚା ପିଇଲା ବେଳେ ମୋ ଆଖି ପଡିଗଲା ପଇସା ମାଗୁଥିବା ମାଉସୀର ଓଦା ଲୁଗା ଉପରେ ..ଚା ହଠାତ୍ ଥଣ୍ଡା ଲାଗିଲା ମୋତେ

Thursday, 9 March 2017

** ଅନନ୍ୟା ନାରୀ; ନମସ୍ୟା **

   ** ଅନନ୍ୟା ନାରୀ; ନମସ୍ୟା **
           ଆଶୁତୋଷ ମେହେର
ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରେ ମିଳିଥିବା ସୂଚନାରୁ ବର୍ଦ୍ଧିତ ମହିଳା ସଶକ୍ତିକରଣର ଚିତ୍ର ସ୍ପଷ୍ଟ ହୁଏ,ବିଶେଷ କରି ଆର୍ଥିକ ଓ ରାଜନୈତିକ ଚିତ୍ରପଟରେ ।
କହିବା ବାହୁଲ୍ୟ ଯେ ଭାରତୀୟ ପରଂପରା ଓ ସଂସ୍କୃତିରେ ନାରୀମାନେ ଏକ ପ୍ରମୂଖ ଭୂମିକା ନିଭାଇ ଆସିଛନ୍ତି। ଆମର ଧାର୍ମିକ ଭାବନାରେ  ମାତାଦୁର୍ଗା (ଶକ୍ତିର ପ୍ରତୀକ),ମାତାଲକ୍ଷ୍ମୀ(ଧନଧାନ୍ୟର ପ୍ରତୀକ) ଓ ମାତା ସରସ୍ବତୀ(ବିଦ୍ୟା ବୁଦ୍ଧିର ପ୍ରତୀକ) ପୂଜା ପାଉଛନ୍ତି ଓ ତ୍ରିଶକ୍ତି ଭାବେ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି ।ଏହି ତ୍ରିଶକ୍ତି ସମାଜରୁ ଅନ୍ୟାୟ,ଅଶିକ୍ଷା ଇତ୍ୟାଦି ଅନ୍ଧକାର ଦୂର କରିବାରେ ନାରୀଶକ୍ତିର ମହାନତାକୁ ପ୍ରତିପାଦିତ କରିଛନ୍ତି ଓ ନାରୀ ଜାଗରଣ ପାଇଁ ଅହରହ ପ୍ରଯତ୍ନର ଧାରା ଅବ୍ୟାହତ ରଖିଛନ୍ତି ।
ନାରୀ ସୃଷ୍ଟିର ମୂଳ ତେଣୁ ପରିବର୍ତ୍ତନର ବାର୍ତ୍ତାବହ । ତା ମଧ୍ୟରେ ଭରିଥାଏ ଉନ୍ମାଦନା,ଶକ୍ତି,ସାମର୍ଥ୍ୟ,ପ୍ରଗତି ସହିତ ସହାନୁଭୂତଶୀଳତାର ଏକ ସୁନ୍ଦର ସମ୍ମିଶ୍ରଣ । ଜନ୍ମଦାତ୍ରୀ ହିସାବରେ ପ୍ରତ୍ୟେକ ମଣିଷର ପ୍ରଥମ ଗୁରୁ ହୋଇଥାଏ ତା' ମାଁ ଓ ପ୍ରଥମ ଶିକ୍ଷକ ରୂପେ ପ୍ରାଥମିକ ଶିକ୍ଷା ଆଲୋକର ମୂଳ ବର୍ତ୍ତିକା । ତେଣୁ ସମାଜର ପ୍ରଗତି ଓ ପରିବର୍ତ୍ତନରେ ନାରୀମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ । ଘରେ ତଥା ବାହାରେ ସାମାଜିକ ଅନୁଷ୍ଠାନରେ ନାରୀମାନଙ୍କ ଗୁରୁତ୍ବ ଏଇଥି ପାଇଁ ଅନେକ ବେଶୀ ।।

ଏହି ପରିପେକ୍ଷିରେ ଆଜିର ନାରୀ ସମ୍ମୁଖରେ ଏକ ବିଶେଷ ଧର୍ମସଂକଟ ହେଲା;ତା'ର ନାରୀତ୍ବ ଓ ସଶକ୍ତିକରଣ ମଧ୍ୟରେ ସନ୍ତୁଳନ ବନାଇ ରଖିବା ।ନାରୀମୁକ୍ତି ଓ ସଶକ୍ତିକରଣ ଦ୍ବାହିରେ ନାରୀର ସର୍ଜନା କରିବାର କ୍ଷମତା ଓ ନାରୀ ସୁଲଭ ଗୁଣ ଗୁଡିକକୁ କ୍ଷତି ପହଞ୍ଚାଇବାର ଅପଚେଷ୍ଟାକୁ ବାରିତ କରିବାକୁ ହେବ ଏବଂ ନାରୀତ୍ବର ପ୍ରକୃତିଦତ୍ତ କୋମଳଗୁଣ ଯଥା ସହନଶୀଳତା,ସମବେଦନାଶୀଳତା ଇତ୍ୟାଦିକୁ ସମାଜର ଉନ୍ନତି କଲ୍ପେ ପରିଚାଳିତ କରିବାକୁ ହେବ ।
ଏ ପ୍ରକ୍ରିୟାରେ ଆମେ ଏକ ସଶକ୍ତ ନାରୀଜାତି ଯିଏକି ପଚଣ୍ଡ ଆତ୍ମବିଶ୍ବାସୀ, ପ୍ରଗତିଶୀଳା ଓ ପରିବାର ତଥା ସମାଜକୁ ଏକ ସୂତ୍ରରେ ବାନ୍ଧିରଖିବାର ଶକ୍ତିରେ ଶକ୍ତିମାନ ବ୍ୟକ୍ତିତ୍ବକୁ ଖୋଜିପାରିବା ।ଏମିତିକା ନାରୀଜାତି ସମାଜ ପାଇଁ ଏକ ବରଦାନ ସ୍ବରୂପହୋଇ ଏହାର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ନିୟୋଜିତ କରି,ସମାଜକୁ ପରିବର୍ତ୍ତନର ରାସ୍ତାରେ ସୂଚାର ରୂପେ ଆଗକୁ ବଢାଇ ନେଇ ପାରିବେ ।ଏ ପ୍ରକ୍ରିୟାରେ ଅର୍ନ୍ତନିହିତ ଧାର୍ମିକ ତ୍ରୀଶକ୍ତି ମନୋଭାବନା ଏକ ଗତିଶୀଳ ଧାରା ଭାବରେ ନାରୀମାନଙ୍କୁ ସମାଜସେବାରେ ଏକ ଅନନ୍ୟା ଭାଗୀଦାର ଭାବେ ଠିଆ କରିଛି ଯାହା ଆଜିର ସମାଜପାଇଁ ଶୁଭଙ୍କର ଚିହ୍ନ ।।

ପୁରୁଷ ସର୍ବଦା ଝଗଡା ସୃଷ୍ଟି କରିବାରେ ପାରଙ୍ଗମ କିଂତୁ ନାରୀ ଏକାଠିବାନ୍ଧି ରଖିବାର କଳାରେ ମାହିର; ଏହାକୁ ସବୁବେଳେ ଆମକୁ ମାନିବାକୁ ପଡିବ। ନାରୀ ଅନନ୍ୟା ତେଣୁ ସମାଜର ହିତ ପାଇଁ ବନ୍ଦନୀୟା ଓ ନମସ୍ୟା ।
ଚାଲନ୍ତୁ ନାରୀସମାଜକୁ ସଭକ୍ତି ପଣାମ କରିବା ।।
            ** ସମାପ୍ତ**

Tuesday, 7 March 2017

।। ଧାର୍ମିକ ଅନୁଚିନ୍ତା ।।

    ।। ଧାର୍ମିକ ଅନୁଚିନ୍ତା ।।
           ଆଶୁତୋଷ ମେହେର

ମଣିଷ ନିଜର ପଂଚେନ୍ଦ୍ରିୟ ଦ୍ବାରା ସଂସାରର ବସ୍ତୁସବୁକୁ ଦେଖିପାରେ,ସ୍ପର୍ଶ୍ବ କରିପାରେ ଓ ଉପଭୋଗ କରିଥାଏ।ଏହା ସଂସାରରେ ଆମକୁ ଟଙ୍କା, ପଇସାପତ୍ର,ସଂପତ୍ତିବାଡି,ସଂପର୍କ ଇତ୍ୟାଦି ତିଆରି କରିବାରେ ସହଯୋଗ କରିଥାଏ।ଏହା କରି ଆମେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରୁ ଏବଂ ବଡ/ସାନ ବୋଲି କଳନା କରିଥାଉ।କିତୁଂ ଯେତେବେଳେ ଆମେ ନିଜେ ନିଜକୁ ସ୍ବତଃ ଦେଖୁ ବା ତୁଳନା କରୁ ତେବେ ନିଜ ଭିତରେ ବିଶେଷ କିଛି ଫରକ ଖୋଜି ପାଉନା ଓ ଆମ ଚଉଦିଗର ବସ୍ତୁବାଦୀ ଜୀବନର ଚିତ୍ର ଦେଖି ହତାଶ ଭାବନାରେ ବ୍ୟଥିତ ହେଉ।
ତେବେ ଏ ହତାଶ ଭାବବେଗକୁ ଦୂର କରିବାର ବାଟ କଣ ??
ଏ ବାବଦରେ ମହାପ୍ରଭୂ ଶିବଙ୍କ ତୃତୀୟ ନେତ୍ର କଥା ଚିନ୍ତା କରାଯାଇ ପାରେ।ଏହି ତୃତୀୟ ନେତ୍ରରେ ପ୍ରଭୂଶଙ୍କର ପୃଥିବୀର ବସ୍ତୁବାଦୀ ଦୁନିଆଁରୁ ଉର୍ଦ୍ଦ୍ବକୁ ଯାଇ ଏକ ଅନନ୍ୟ ଅନୁଚିନ୍ତନ ଅନୁଭବୀ ଦ୍ବଷ୍ଟିଭଙ୍ଗୀରେ ଜୀବନକୁ ଦେଖିବାର ପ୍ରେରଣା ଦିଅନ୍ତି। ଆମର ଏହି ଅନୁଚିନ୍ତନ ଦୃଷ୍ଟିଭଙ୍ଗୀ ଯେତେ ସ୍ବଚ୍ଛ ଓ ଉର୍ଦ୍ଧ୍ବମୁଖୀ ହେବ,ଆମର ଜୀବନ ସେତେ ମହନୀୟ ଓ ସୁନ୍ଦର ହେବ।ବସ୍ତୁବାଦୀ ଦୁନିଆଁ ଓ ଜୀବନ ଉପରେ ଯେ ଅନ୍ୟ ଏକ ଆନନ୍ଦମୟ ଜୀବନଧାରା ପ୍ରଭାହିତ ତାହାରି ଅନୁଭବ ହେବ ।
ଏ ସଂସାରରେ ଭଲ ଓ ମନ୍ଦ ର ଦ୍ବନ୍ଦ ଭିତରୁ ବିଶ୍ବାସ ଜନ୍ମ ନେଇଥାଏ। ବିଶ୍ବାସ ମୁଖତଃ ଆମ ଦୃଷ୍ଟିଭଙ୍ଗୀକୁ ଗୋଟାଏ ଜିନିଷ ଉପରେ କେନ୍ଦ୍ରିଭୂତ କରେ ଓ ଅନ୍ୟ ଚିନ୍ତାଧାରା ପ୍ରତି ବିତୃଷ୍ଣା ସୃଷ୍ଟି କରି ଅନ୍ଧ କରିଦିଏ। ଏହି ଅନ୍ଧବିଶ୍ବାସ ହିଁ ସମସ୍ତ ଗଣ୍ଡଗୋଳର ମୂଳଦୁଆ ସ୍ଥାପନ କରିଥାଏ। ତେଣୁ ଆମକୁ ଆମର ବିଶ୍ବାସଧାରା କୁ ଅନୁଚିନ୍ତାରେ ବଦଳାଇବାର ପ୍ରୟାସ କରିବାକୁ ପଡିବ।ବିଶ୍ବାସ ଆମକୁ ସୃଷ୍ଟି ଓ ସୃଷ୍ଟିରୁ ଧ୍ବଂସ ଆଡକୁ ଟାଣିଥାଏ କିନ୍ତୁ ଅନୁଚିନ୍ତା ଆମକୁ ସୃଷ୍ଟି ଓ ସୃଷ୍ଟିକୁ ଆହୁରି ମହନୀୟ କରିବାକୁ ପ୍ରେରଣା ଯୋଗାଇଥାଏ। ମନ ଭିତରର ସୁସ୍ଥ ଅନୁଭବ ହିଁ ଏହି ଅନୁଚିଂତାକୁ ବଢିବାର ଖୋରାକ ଯୋଗାଇଥାଏ।
ବିଶ୍ବାସ ଆମକୁ ମନ୍ଦିର,ମସଜିତ,ଗୁରୁଦ୍ବାରା ଆଡକୁ ଟାଣେ ଧର୍ମ ସମ୍ବନ୍ଧିତ କାର୍ଯ୍ୟ କରିବାକୁ କିନ୍ତୁ ଅନୁଚିନ୍ତା ଆମକୁ ସମାଜ ଆଡକୁ ଟାଣେ ଲୋକଙ୍କ ସେବା/ଦୁଃଖ ଲାଘବ କରିବାପାଇଁ ।
ତେଣୁ ଆଜିକାର ଦୁନିଆଁରେ ଅନ୍ଧବିଶ୍ବାସ ଅପେକ୍ଷା ଅନୁଚିନ୍ତା ର ଆବଶ୍ୟକତା ବେଶୀ। ତାହା ଯଦି ଧାର୍ମିକ ଅନୁଚିନ୍ତା ହୁଏ ତେବେ ସମାଜର ବୌଦ୍ଧିକ ଉନ୍ନତି ଭଲ ଭାବରେ ହେଇପାରିବ ।
         **ସମାପ୍ତ***