Tuesday, 7 March 2017

।। ଧାର୍ମିକ ଅନୁଚିନ୍ତା ।।

    ।। ଧାର୍ମିକ ଅନୁଚିନ୍ତା ।।
           ଆଶୁତୋଷ ମେହେର

ମଣିଷ ନିଜର ପଂଚେନ୍ଦ୍ରିୟ ଦ୍ବାରା ସଂସାରର ବସ୍ତୁସବୁକୁ ଦେଖିପାରେ,ସ୍ପର୍ଶ୍ବ କରିପାରେ ଓ ଉପଭୋଗ କରିଥାଏ।ଏହା ସଂସାରରେ ଆମକୁ ଟଙ୍କା, ପଇସାପତ୍ର,ସଂପତ୍ତିବାଡି,ସଂପର୍କ ଇତ୍ୟାଦି ତିଆରି କରିବାରେ ସହଯୋଗ କରିଥାଏ।ଏହା କରି ଆମେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରୁ ଏବଂ ବଡ/ସାନ ବୋଲି କଳନା କରିଥାଉ।କିତୁଂ ଯେତେବେଳେ ଆମେ ନିଜେ ନିଜକୁ ସ୍ବତଃ ଦେଖୁ ବା ତୁଳନା କରୁ ତେବେ ନିଜ ଭିତରେ ବିଶେଷ କିଛି ଫରକ ଖୋଜି ପାଉନା ଓ ଆମ ଚଉଦିଗର ବସ୍ତୁବାଦୀ ଜୀବନର ଚିତ୍ର ଦେଖି ହତାଶ ଭାବନାରେ ବ୍ୟଥିତ ହେଉ।
ତେବେ ଏ ହତାଶ ଭାବବେଗକୁ ଦୂର କରିବାର ବାଟ କଣ ??
ଏ ବାବଦରେ ମହାପ୍ରଭୂ ଶିବଙ୍କ ତୃତୀୟ ନେତ୍ର କଥା ଚିନ୍ତା କରାଯାଇ ପାରେ।ଏହି ତୃତୀୟ ନେତ୍ରରେ ପ୍ରଭୂଶଙ୍କର ପୃଥିବୀର ବସ୍ତୁବାଦୀ ଦୁନିଆଁରୁ ଉର୍ଦ୍ଦ୍ବକୁ ଯାଇ ଏକ ଅନନ୍ୟ ଅନୁଚିନ୍ତନ ଅନୁଭବୀ ଦ୍ବଷ୍ଟିଭଙ୍ଗୀରେ ଜୀବନକୁ ଦେଖିବାର ପ୍ରେରଣା ଦିଅନ୍ତି। ଆମର ଏହି ଅନୁଚିନ୍ତନ ଦୃଷ୍ଟିଭଙ୍ଗୀ ଯେତେ ସ୍ବଚ୍ଛ ଓ ଉର୍ଦ୍ଧ୍ବମୁଖୀ ହେବ,ଆମର ଜୀବନ ସେତେ ମହନୀୟ ଓ ସୁନ୍ଦର ହେବ।ବସ୍ତୁବାଦୀ ଦୁନିଆଁ ଓ ଜୀବନ ଉପରେ ଯେ ଅନ୍ୟ ଏକ ଆନନ୍ଦମୟ ଜୀବନଧାରା ପ୍ରଭାହିତ ତାହାରି ଅନୁଭବ ହେବ ।
ଏ ସଂସାରରେ ଭଲ ଓ ମନ୍ଦ ର ଦ୍ବନ୍ଦ ଭିତରୁ ବିଶ୍ବାସ ଜନ୍ମ ନେଇଥାଏ। ବିଶ୍ବାସ ମୁଖତଃ ଆମ ଦୃଷ୍ଟିଭଙ୍ଗୀକୁ ଗୋଟାଏ ଜିନିଷ ଉପରେ କେନ୍ଦ୍ରିଭୂତ କରେ ଓ ଅନ୍ୟ ଚିନ୍ତାଧାରା ପ୍ରତି ବିତୃଷ୍ଣା ସୃଷ୍ଟି କରି ଅନ୍ଧ କରିଦିଏ। ଏହି ଅନ୍ଧବିଶ୍ବାସ ହିଁ ସମସ୍ତ ଗଣ୍ଡଗୋଳର ମୂଳଦୁଆ ସ୍ଥାପନ କରିଥାଏ। ତେଣୁ ଆମକୁ ଆମର ବିଶ୍ବାସଧାରା କୁ ଅନୁଚିନ୍ତାରେ ବଦଳାଇବାର ପ୍ରୟାସ କରିବାକୁ ପଡିବ।ବିଶ୍ବାସ ଆମକୁ ସୃଷ୍ଟି ଓ ସୃଷ୍ଟିରୁ ଧ୍ବଂସ ଆଡକୁ ଟାଣିଥାଏ କିନ୍ତୁ ଅନୁଚିନ୍ତା ଆମକୁ ସୃଷ୍ଟି ଓ ସୃଷ୍ଟିକୁ ଆହୁରି ମହନୀୟ କରିବାକୁ ପ୍ରେରଣା ଯୋଗାଇଥାଏ। ମନ ଭିତରର ସୁସ୍ଥ ଅନୁଭବ ହିଁ ଏହି ଅନୁଚିଂତାକୁ ବଢିବାର ଖୋରାକ ଯୋଗାଇଥାଏ।
ବିଶ୍ବାସ ଆମକୁ ମନ୍ଦିର,ମସଜିତ,ଗୁରୁଦ୍ବାରା ଆଡକୁ ଟାଣେ ଧର୍ମ ସମ୍ବନ୍ଧିତ କାର୍ଯ୍ୟ କରିବାକୁ କିନ୍ତୁ ଅନୁଚିନ୍ତା ଆମକୁ ସମାଜ ଆଡକୁ ଟାଣେ ଲୋକଙ୍କ ସେବା/ଦୁଃଖ ଲାଘବ କରିବାପାଇଁ ।
ତେଣୁ ଆଜିକାର ଦୁନିଆଁରେ ଅନ୍ଧବିଶ୍ବାସ ଅପେକ୍ଷା ଅନୁଚିନ୍ତା ର ଆବଶ୍ୟକତା ବେଶୀ। ତାହା ଯଦି ଧାର୍ମିକ ଅନୁଚିନ୍ତା ହୁଏ ତେବେ ସମାଜର ବୌଦ୍ଧିକ ଉନ୍ନତି ଭଲ ଭାବରେ ହେଇପାରିବ ।
         **ସମାପ୍ତ***

No comments:

Post a Comment