Thursday, 9 March 2017

** ଅନନ୍ୟା ନାରୀ; ନମସ୍ୟା **

   ** ଅନନ୍ୟା ନାରୀ; ନମସ୍ୟା **
           ଆଶୁତୋଷ ମେହେର
ଆର୍ନ୍ତଜାତିକ ମହିଳା ଦିବସ ପାଳନ ଅବସରେ ମିଳିଥିବା ସୂଚନାରୁ ବର୍ଦ୍ଧିତ ମହିଳା ସଶକ୍ତିକରଣର ଚିତ୍ର ସ୍ପଷ୍ଟ ହୁଏ,ବିଶେଷ କରି ଆର୍ଥିକ ଓ ରାଜନୈତିକ ଚିତ୍ରପଟରେ ।
କହିବା ବାହୁଲ୍ୟ ଯେ ଭାରତୀୟ ପରଂପରା ଓ ସଂସ୍କୃତିରେ ନାରୀମାନେ ଏକ ପ୍ରମୂଖ ଭୂମିକା ନିଭାଇ ଆସିଛନ୍ତି। ଆମର ଧାର୍ମିକ ଭାବନାରେ  ମାତାଦୁର୍ଗା (ଶକ୍ତିର ପ୍ରତୀକ),ମାତାଲକ୍ଷ୍ମୀ(ଧନଧାନ୍ୟର ପ୍ରତୀକ) ଓ ମାତା ସରସ୍ବତୀ(ବିଦ୍ୟା ବୁଦ୍ଧିର ପ୍ରତୀକ) ପୂଜା ପାଉଛନ୍ତି ଓ ତ୍ରିଶକ୍ତି ଭାବେ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି ।ଏହି ତ୍ରିଶକ୍ତି ସମାଜରୁ ଅନ୍ୟାୟ,ଅଶିକ୍ଷା ଇତ୍ୟାଦି ଅନ୍ଧକାର ଦୂର କରିବାରେ ନାରୀଶକ୍ତିର ମହାନତାକୁ ପ୍ରତିପାଦିତ କରିଛନ୍ତି ଓ ନାରୀ ଜାଗରଣ ପାଇଁ ଅହରହ ପ୍ରଯତ୍ନର ଧାରା ଅବ୍ୟାହତ ରଖିଛନ୍ତି ।
ନାରୀ ସୃଷ୍ଟିର ମୂଳ ତେଣୁ ପରିବର୍ତ୍ତନର ବାର୍ତ୍ତାବହ । ତା ମଧ୍ୟରେ ଭରିଥାଏ ଉନ୍ମାଦନା,ଶକ୍ତି,ସାମର୍ଥ୍ୟ,ପ୍ରଗତି ସହିତ ସହାନୁଭୂତଶୀଳତାର ଏକ ସୁନ୍ଦର ସମ୍ମିଶ୍ରଣ । ଜନ୍ମଦାତ୍ରୀ ହିସାବରେ ପ୍ରତ୍ୟେକ ମଣିଷର ପ୍ରଥମ ଗୁରୁ ହୋଇଥାଏ ତା' ମାଁ ଓ ପ୍ରଥମ ଶିକ୍ଷକ ରୂପେ ପ୍ରାଥମିକ ଶିକ୍ଷା ଆଲୋକର ମୂଳ ବର୍ତ୍ତିକା । ତେଣୁ ସମାଜର ପ୍ରଗତି ଓ ପରିବର୍ତ୍ତନରେ ନାରୀମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ । ଘରେ ତଥା ବାହାରେ ସାମାଜିକ ଅନୁଷ୍ଠାନରେ ନାରୀମାନଙ୍କ ଗୁରୁତ୍ବ ଏଇଥି ପାଇଁ ଅନେକ ବେଶୀ ।।

ଏହି ପରିପେକ୍ଷିରେ ଆଜିର ନାରୀ ସମ୍ମୁଖରେ ଏକ ବିଶେଷ ଧର୍ମସଂକଟ ହେଲା;ତା'ର ନାରୀତ୍ବ ଓ ସଶକ୍ତିକରଣ ମଧ୍ୟରେ ସନ୍ତୁଳନ ବନାଇ ରଖିବା ।ନାରୀମୁକ୍ତି ଓ ସଶକ୍ତିକରଣ ଦ୍ବାହିରେ ନାରୀର ସର୍ଜନା କରିବାର କ୍ଷମତା ଓ ନାରୀ ସୁଲଭ ଗୁଣ ଗୁଡିକକୁ କ୍ଷତି ପହଞ୍ଚାଇବାର ଅପଚେଷ୍ଟାକୁ ବାରିତ କରିବାକୁ ହେବ ଏବଂ ନାରୀତ୍ବର ପ୍ରକୃତିଦତ୍ତ କୋମଳଗୁଣ ଯଥା ସହନଶୀଳତା,ସମବେଦନାଶୀଳତା ଇତ୍ୟାଦିକୁ ସମାଜର ଉନ୍ନତି କଲ୍ପେ ପରିଚାଳିତ କରିବାକୁ ହେବ ।
ଏ ପ୍ରକ୍ରିୟାରେ ଆମେ ଏକ ସଶକ୍ତ ନାରୀଜାତି ଯିଏକି ପଚଣ୍ଡ ଆତ୍ମବିଶ୍ବାସୀ, ପ୍ରଗତିଶୀଳା ଓ ପରିବାର ତଥା ସମାଜକୁ ଏକ ସୂତ୍ରରେ ବାନ୍ଧିରଖିବାର ଶକ୍ତିରେ ଶକ୍ତିମାନ ବ୍ୟକ୍ତିତ୍ବକୁ ଖୋଜିପାରିବା ।ଏମିତିକା ନାରୀଜାତି ସମାଜ ପାଇଁ ଏକ ବରଦାନ ସ୍ବରୂପହୋଇ ଏହାର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ନିୟୋଜିତ କରି,ସମାଜକୁ ପରିବର୍ତ୍ତନର ରାସ୍ତାରେ ସୂଚାର ରୂପେ ଆଗକୁ ବଢାଇ ନେଇ ପାରିବେ ।ଏ ପ୍ରକ୍ରିୟାରେ ଅର୍ନ୍ତନିହିତ ଧାର୍ମିକ ତ୍ରୀଶକ୍ତି ମନୋଭାବନା ଏକ ଗତିଶୀଳ ଧାରା ଭାବରେ ନାରୀମାନଙ୍କୁ ସମାଜସେବାରେ ଏକ ଅନନ୍ୟା ଭାଗୀଦାର ଭାବେ ଠିଆ କରିଛି ଯାହା ଆଜିର ସମାଜପାଇଁ ଶୁଭଙ୍କର ଚିହ୍ନ ।।

ପୁରୁଷ ସର୍ବଦା ଝଗଡା ସୃଷ୍ଟି କରିବାରେ ପାରଙ୍ଗମ କିଂତୁ ନାରୀ ଏକାଠିବାନ୍ଧି ରଖିବାର କଳାରେ ମାହିର; ଏହାକୁ ସବୁବେଳେ ଆମକୁ ମାନିବାକୁ ପଡିବ। ନାରୀ ଅନନ୍ୟା ତେଣୁ ସମାଜର ହିତ ପାଇଁ ବନ୍ଦନୀୟା ଓ ନମସ୍ୟା ।
ଚାଲନ୍ତୁ ନାରୀସମାଜକୁ ସଭକ୍ତି ପଣାମ କରିବା ।।
            ** ସମାପ୍ତ**

No comments:

Post a Comment