।। ଫୁଲ ପାଇଁ କବିତା ।।
ଆଶୁତୋଷ ମେହେର
ଫୁଲହସ ପରି ଆଜି ଦିନ ଯାଉ
ସରସ ସୁନ୍ଦର ହୋଇ,
ହସ ଖୁସି ଭରା ଧରାରେ ଜୀବନ
ଦୁଃଖ ସବୁ ଯାଉ ଧୋଇ ।।
*******
ଫୁଲର ରଂଗେଯେ ଏତେ ମାଦକତା
କିଏ ସେ ଦେଇଛି ଭରି,
କାହର ଗଢଣି କା' ହାତ କରଣି
ସୂକ୍ଷ୍ମ ସେଇ କାରିଗିରୀ ;
ପ୍ରକୃତି, ସେ ଯେ ଭଗବାନ
ମଥା ଥାପନ୍ତିକି ସତେ ପାଦ ତଳେ ତା'ରି ।।
*********
ଫୁଲର ଓଠରେ ଅଫୁରନ୍ତ ହସ
ରଙ୍ଗ ହେଉ ପଛେ ଯାହା,
ହସର ଜୀବନ ଯାହାର ସତରେ
ଆଉ କିସ ଲୋଡା ଆହା ,
ହସ ଆଣେ ସୁଖ ପୁରାଏ ପରାଣ
ଜୀବନର ଲକ୍ଷ ତାହା ।।
*********
ଫୁଲର ରଙ୍ଗରେ ଫୁଟି ଉଠେ ସତେ
ପରମେଶ୍ବରଙ୍କ ଛବି
ସୁଗନ୍ଧେ ତାହାରି ଇଶ୍ବର ଭାବନା
ବିମୋହିତ ହୁଏ କବି ।
ପ୍ରଭୂ ପାଦ ତଳେ ହସି ଗଡୁଥାଏ
କହେ ସେ ମରମ କଥା
ଜୀବନଟା ବିତୁ ବିଭୂ ଗୁଣ ଗାଇ
ତାଙ୍କ ସରଜନା ଗାଥା ।
***+***
No comments:
Post a Comment