Wednesday, 5 April 2017

କ୍ଷୁଦ୍ରଗଲ୍ପ---ଛୋଟ କଥା,ବଡ ଶିକ୍ଷା

କ୍ଷଦ୍ରଗଲ୍ପ
                      ।। ଛୋଟ କଥା,ବଡ ଶିକ୍ଷା ।।
                                         ଆଶୁତୋଷ  ମେହେର
ସକାଳର ସୌମ୍ୟ ଆଶ୍ରମ ପରିବେଶରେ ଧ୍ୟାନମଗ୍ନ ଗୁରୁ ସୋମଦେବଙ୍କ ଆଗରେ ହାତ ଯୋଡି ଆସି ଠିଆ ହେଲେ ଶିଷ୍ୟ ନିଶାନ୍ତ.. ମୁହଁରେ ଅନେକ ପ୍ରଶ୍ନବାଚୀ ।
ଆଖି ଖୋଲି ଗୁରୁଦେବ ଦେଖିଲେ ଶିଷ୍ୟ ନିଶାନ୍ତ ଚିନ୍ତିତ, କହିଲେ "ବତ୍ସ, ସକାଳୁ ସକାଳୁ ଏତେ ଚିନ୍ତିତ କାହିଁକି ?'
"ଗୁରୁଦେବ, ଆପଣ ଗତକାଲି କହିଲେ ଆପଣଙ୍କ ପାଖରେ ଯେତେ ଶିକ୍ଷା ପାଇବାକଥା ମୁଁ ପାଇସାରିଲିଣି,ତେଣୁ ମୋର ଶିକ୍ଷା ସରିଲାଣି.. ଗୁରୁଦକ୍ଷିଣା ଆଦେଶ ହେଲେ ବ୍ୟବସ୍ଥା କରି କର୍ମକ୍ଷେତ୍ରରେ ଆଗେଇବି'
"ନା ବତ୍ସ,ଶିକ୍ଷାର ଶେଷ ବିଷୟ ରହିଛି ଯାହାକି ତୁମକୁ ମୋର ପ୍ରିୟ ଗୁରୁଦେବ ପରମାନନ୍ଦଙ୍କ ଆଶ୍ରମରେ ଏକ ସପ୍ତାହ ପାଇଁ ଗ୍ରହଣକରିବ ଓ ସେଥିରୁ ଯାହା ଶିକ୍ଷା ଲାଭ କରିବ ତାର ସାରମର୍ମ ହଁ ମୋତେ ଜଣାଇବ ଓ ତାହା ହେବ ମୋର ତୁମ ଠାରୁ ଗୁରୁଦକ୍ଷିଣା ।ଆଜି ତୁମେ ସେଠାକୁ ଗମନ କର। ମୁଁ ଗୁରୁଦେବଙ୍କୁ ପୂର୍ବରୁ ଜଣାଇସାରିଛି,ସବୁ ବ୍ୟବସ୍ଥା ତାଙ୍କ ଆଶ୍ରମରେ ହୋଇସାରିଛ'।

ଗୁରୁ ପରମାନନ୍ଦଙ୍କ ଆଶ୍ରମରେ ପହଞ୍ଚି ଦେଖିଲେ ଯେ ସେଠାରେ କିଛି ପାଠଶାଠ ପଢା ହେଉନି । ସକାଳୁ ଗୁରୁ ପରମାନନ୍ଦ ଉଠି ନିଜେ ହାତରେ ରନ୍ଧନ କରି ସୁସ୍ୟାଦୁ ଖାଦ୍ୟ ଆଶ୍ରମର ଅନ୍ତେବାସୀଙ୍କୁ ପରସୁଛନ୍ତି ଓ ବଡ ଆଦରରେ ଖୁଆଉଛନ୍ତି ।ସକାଳେ ଓ ସଂଧ୍ୟା ସମୟରେ ସେଇ ଏକା କାମରେ ଗୁରୁଦେବ ବ୍ୟସ୍ତ ରହୁଛନ୍ତି ।ସମସ୍ତେ ଖାଇ ସାରିବା ପରେ ସମସ୍ତ ବାସନକୁସନ ଧୁଆଧୋଇ କରି ରାତ୍ରୀ ବିଶ୍ରାମ କରୁଛନ୍ତି।ପୁଣି ତା' ପର ଦିନ ସକାଳୁ ଉଠି ପୂର୍ବରାତିରେ ଧୁଆ ହେଇଥିବା ବାସନକୁସନକୁ ଆଉ ଥରେ ଧୋଇ  ରନ୍ଧନ କାମରେ ଲାଗିଯାଉଛନ୍ତି ।ବାସ୍ ସେଇ ପୂର୍ବବତ୍ ଏକା କଥା । କିଛି ଶିଖିବାକୁ ନ ପାଇ ଶିଷ୍ୟ ନିଶାନ୍ତ ଗୁରୁ ପରମାନନ୍ଦଙ୍କ ଅନୁମତି ନେଇ ତିନି ଦିନ ପରେ ଫେରିଆସିଲେ ।

ସମୟ ପୂର୍ବରୁ ଫେରିଆସିବା ଦେଖି ଗୁରୁ ସୋମଦେବ ଶିଷ୍ୟ ନିଶାନ୍ତଙ୍କୁ ପଚାରିଲେ, "ବତ୍ସ,ଅଧା ସମୟରରୁ ଫେରି ଆସିଲ ଯେ ?' ନିଶାନ୍ତ କହିଲେ," ଗୁରୁଦେବ ତ ସବୁ ଦିନ ସକାଳୁ ଉଠି ପୂର୍ବ ରାତ୍ରୀର ଧୁଆ ହୋଇଥିବା ବାସନକୁସନକୁ ସକାଳୁ ଆଉଥରେ ଧୁଆଧୋଇ କରି ରନ୍ଧନରେ ଲାଗୁଛନ୍ତି,ଆଉ ସେଇଟା ତାଙ୍କରି ପ୍ରତିଦିନଆ କାମ...'
"ଠିକ୍ ଭାବେ ନିରୀକ୍ଷଣ କରିଛ ବତ୍ସ...ସେଇଥି ପାଇଁ ହିଁ ମୁଁ ତୁମକୁ ସେଠାକୁ ପଠାଇଥିଲି । ଦେଖ ଆମ ମନଟା ସେ ବାସନକୁସନ ପରି,ଆମେ ମନଟାକୁ ଯେତେ ସଫାରହିଥିଲେ ମଧ୍ୟ ସମୟକ୍ରମେ ତା' ଦେହରେ ନାନା ମଇଲା ଯଥା ଗର୍ବ, ଅହଂକାର,ଗାରିମା, ବଡିମା ଇତ୍ୟାଦି ଜମାହୋଇଯାଏ ଆଉ ଆମର ମନକୁ କଳୁଷିତ କରେ...ତେବେ ଆମର ଦାୟୀତ୍ବ ହେଲା ସେ ମଇଲା ଗୁଡିକ ପ୍ରତିଦିନ ଧୋଇ ତ୍ୟାଗ କରି ନୂଆଁ ସଫା ମନରେ ନିଜ କର୍ମରେ ଆଗେଇ ଯିବା । ସେଇଟା ହିଁ ସଫଳ ଜୀବନର ଧେୟ । ଏଥି ସହ ଶେଷ ହେଲା ତୁମର ଶିକ୍ଷା,ମୋର ଗୁରୁ ଦକ୍ଷିଣା ମଧ୍ୟ ମିଳିସାରିଛି,ବତ୍ସ ଏବେ ଆଗେଇ ଯାଅ ନିଜ କର୍ମକ୍ଷେତ୍ରକୁ....'
ଗୁରୁଙ୍କୁ ଭୂମିଷ୍ଠ ପ୍ରଣାମ କରି ନିଶାନ୍ତ ଉଠିଲା ବେଳକୁ ଭାବୁ ଥିଲେ ଜୀବନର ଛୋଟ ଛୋଟ କର୍ମରେ ଭି ଭରିରହିଛି କେତେ ସୁନ୍ଦର ଗହିରୀଆ ଶିଖିବାର ଅସୁମାରୀ କଥା....
             *ସମାପ୍ତ*

No comments:

Post a Comment